ବେଲଗୁଣ୍ଠା,୧୨/୧୦,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ତନରଡ଼ାସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ସମୃଦ୍ଧ ଭାଷା : ସମୃଦ୍ଧ ଓଡ଼ିଶା’ ଆଧାରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହତ୍ତ୍ୱ ସହ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ମନୋଜ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷକ ନବୀନ ଚନ୍ଦ୍ର ପରିମାଣିକ, ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ସନ୍ତୋଷ କୁମାର ପାତ୍ର ଯୋଗ ଦେଇଥିବାବେଳେ ଶିକ୍ଷାବିତ୍ ବସନ୍ତ କୁମାର ଜେନା ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡକ୍ଟର ପୋଲେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବକ୍ତାମାନେ ନିଜ ବକ୍ତବ୍ୟରେ ‘ସୁରଭି’ ମହୋତ୍ସବର ମହତ୍ତ୍ୱ ଓ ଏହା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶରେ କିପରି ସହାୟକ ହେଉଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ମାତୃଭାଷାର ସୁରକ୍ଷା, ଓଡ଼ିଆ ଭାଷାର ପ୍ରଚାରପ୍ରସାର ଏବଂ ଭାଷା ସହ ସଂସ୍କୃତିର ନିବିଡ଼ ସମ୍ପର୍କ ଉପରେ ମତବ୍ୟକ୍ତ କରିଥିଲେ। ମହୋତ୍ସବରେ ‘ସମୃଦ୍ଧ ଭାଷା : ସମୃଦ୍ଧ ଓଡ଼ିଶା’ ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବେଲଗୁଣ୍ଠାସ୍ଥିତ ପିଏମ୍ ଶ୍ରୀ ନୋଡାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଦଳ ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଥିଲେ।ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବାବେଳେ ସିଆରସିସି ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।