ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆର. ସୀତାପୁର-ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପ୍ରଯୁକ୍ତି ଓ ପରିଚାଳନା (ସିୟୁଟିଏମ) ପରିସରରେ “ମୂଳ ଇଞ୍ଜିନିୟରିଂ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ” ଶୀର୍ଷକ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ (ଏଫଡ଼ିପି)ର ଉଦ୍ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ନିଟ ପାଟନା ଓ ସିୟୁଟିଏମ , ପାରଳାଖେମୁଣ୍ଡିର ମିଳିତ ଆୟୋଜନରେ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ମେଇଟୀ)ର ସହଯୋଗରେ ଆୟୋଜନ କରାଯାଇଥିଲା।
ଏହି ଏଫଡିପି ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଅଧ୍ୟାପକ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ସହିତ ମୂଳ ଇଞ୍ଜିନିୟରିଂ ବିଷୟଗୁଡ଼ିକରେ ଏ ଆଇ ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆଦାନ-ପ୍ରଦାନକୁ ପ୍ରୋତ୍ସାହିତ କରିବା।
ଉଦ୍ଯାପନୀ ସମାରୋହରେ ନିଟ ୱାରଙ୍ଗଲର ସହଯୋଗୀ ପ୍ରଫେସର ଡ. ପ୍ରବୀଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ। ସିୟୁଟିଏମର ସଂଯୋଜିକା ଡ. ପ୍ରଜ୍ଞା ପରମିତା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଂଶଗ୍ରହଣକାରୀ ମାନେ ମଧ୍ୟ ନିଜର ଅନୁଭୂତି , ଶିକ୍ଷଣ ଓ ମତାମତ ବାଣ୍ଟିଥିଲେ।
ଏହି ଅବସରରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସୋଏଟ) ଓ ସ୍କୁଲ୍ ଅଫ୍ କମ୍ପ୍ୟୁଟର ଆଣ୍ଡ ଡାଟା ସାଇନ୍ସ ର ଡିନ୍ ଡ. ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ କୁଳସଚିବ ଡ. ଅନିତା ପାତ୍ର ନିଜର ଅଭିଭାଷଣ ରଖିଥିଲେ।
ସମାରୋହ କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ ଶେଷରେ କାର୍ଯ୍ୟକ୍ରମର ଆବାହକ ଡ. ପ୍ରଭାତ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗୋଷ୍ଠୀ ଫଟୋଗ୍ରାଫ୍ ସହିତ ସମାରୋହର ସମାପନ ହୋଇଥିଲା।
ଏହି ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମରେ ନୂତନ ପ୍ରଯୁକ୍ତିର ସମନ୍ୱୟ, ଆନ୍ତଃବିଷୟକ ଜ୍ଞାନ ଆଦାନ-ପ୍ରଦାନ ଏବଂ ଅଧ୍ୟାପକ ମାନଙ୍କ ବୃତ୍ତିଗତ ଦକ୍ଷତା ବିକାଶ ଦିଗରେ ନିଟ୍-ପାଟନା ଓ ସିୟୁଟିଏମର ମିଳିତ ପ୍ରୟାସକୁ ପ୍ରତିଫଳିତ କରିଥିଲା।
Sign in
Sign in
Recover your password.
A password will be e-mailed to you.