୪ ନିର୍ଦ୍ୱନ୍ଦରେ ନିର୍ବାଚିତ, ପ୍ରତ୍ୟାହାର ପରେ ଅଧିକ ରୋମାଞ୍ଚକର ହେଲା ମଇଦାନ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ବେଶ୍ ସରଗରମ ହେବାରେ ଲାଗିଛି । ଗତକାଲି ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇ ମୋଟ ୨୧ ଜଣ ବୈଧ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ, ଆଜି ଆଶାୟୀଙ୍କ ପାଇଁ ନିଜର ନାମ ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଆଜିର ଏହି ପ୍ରତ୍ୟାହାର ପର୍ବ ପରେ ନିର୍ବାଚନ ମଇଦାନ ଅଧିକ ସ୍ପଷ୍ଟ ହୋଇଯାଇଛି ଏବଂ ପ୍ରତିଦ୍ୱନ୍ଦ୍ୱିତା ଆହୁରି ରୋମାଞ୍ଚକର ହୋଇପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମୋଟ ତିନି ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି । ସଭାପତି ପଦବୀ ପାଇଁ ଲଢ଼ୁଥିବା ଡୋଳାମାଣି ରୋହିଦାସ, ଉପ-ସଭାପତି ପଦବୀରୁ ସୁନୀଲ ସାହୁ ଏବଂ ସାଧାରଣ ସମ୍ପାଦକ ପଦବୀରୁ ମାନସ ବେରିଆ ସ୍ୱଇଚ୍ଛାରେ ନିଜ ନାମ ପ୍ରତ୍ୟାହାର କରିଛନ୍ତି । ଏହି ପ୍ରତ୍ୟାହାର ପରେ ଏବେ ସଭାପତି ପଦବୀ ପାଇଁ ସୌଗମ୍ ତାଣ୍ଡି, ପିୟୂଷ କୁମାର ଦାଶ ଓ ଆର୍ୟନ ରଣାଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ସେହିପରି ଉପ-ସଭାପତି ପଦବୀ ପାଇଁ ଧରିତ୍ରୀ ବରିହା, ଆଦିତ୍ୟ ନାରାୟଣ ସାହୁ ଓ ମୌସୁମୀ ସିଂ ବରିହା ମୈଦାନରେ ରହିଥିବାବେଳେ, ସାଧାରଣ ସମ୍ପାଦକ ପଦବୀ ପାଇଁ କୋଶଳ ପଧାନ ଓ ଯୋଗେଶ ବେହେରାଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଅନ୍ୟପକ୍ଷରେ ସମ୍ପାଦକ, ସହକାରୀ ଯୁଗ୍ମ ସମ୍ପାଦକ ଏବଂ ଶ୍ରେଣୀ ପ୍ରତିନିଧି ପଦବୀଗୁଡ଼ିକ ପାଇଁ ପୂର୍ବଭଳି ପ୍ରାର୍ଥୀମାନେ ନିଜର ଭାଗ୍ୟ ପରୀକ୍ଷା ଜାରି ରଖିଛନ୍ତି ।
ନାମ ପ୍ରତ୍ୟାହାରର ଏହି ନାଟକୀୟ ମୋଡ଼ ଏବଂ କଲେଜ୍ ପରିସରର ଚଳଚଞ୍ଚଳ ପରିବେଶ ଏବେ ସମସ୍ତଙ୍କ ନଜରଟାଣିଛି । କାହା ପାଖରେ ରହିବ ବିଜୟର ମୁକୁଟ ଏବଂ କିଏ ହେବ ସାଥୀମାନଙ୍କର ପ୍ରକୃତ ନେତା, ତାହା ଆଗାମୀ ଦିନର ମତଦାନ ହିଁ ସ୍ଥିର କରିବ । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲିଙ୍ଗଡୋ କମିଟିର ସୁପାରିଶ ଏବଂ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଶୃଙ୍ଖଳା ଓ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପଦ୍ମପୁର କଲେଜର ଏହି ମହାପର୍ବ ଏବେ ଏକ ନୂତନ ମୋଡ଼ ନେଇଛି ।