ଭୁବନେଶ୍ୱର, ୧୦ ଅକ୍ଟୋବର, ୨୦୨୬: ଆର୍ସଲରମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପ୍ରମୁଖ ସିଏସଆର୍ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ଦକ୍ଷ’ ଅଧୀନରେ ପାରାଦୀପ, କେନ୍ଦୁଝର ଏବଂ ବଡ଼ବିଲସ୍ଥିତ ଡିଜିଟାଲ୍ ସ୍କିଲ୍ ସେଣ୍ଟରଗୁଡ଼ିକରେ ନୂତନ ପ୍ରଶିକ୍ଷଣ ବ୍ୟାଚ୍ ଆରମ୍ଭ କରିଛି। ସ୍ଥାନୀୟ ଯୁବପିଢ଼ିଙ୍କୁ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ସାକ୍ଷରତା ତଥା ବୃତ୍ତିଗତ ଦକ୍ଷତା ପ୍ରଦାନ କରି ଦକ୍ଷତା ବ୍ୟବଧାନକୁ ଦୂର କରିବା ହେଉଛି ନାସକମ୍ ଫାଉଣ୍ଡେସନ୍ ସହଯୋଗରେ ପ୍ରତିଷ୍ଠିତ ଏହି ଡିଜିଟାଲ୍ ସ୍କିଲ୍ ସେଣ୍ଟରଗୁଡ଼ିକର ଲକ୍ଷ୍ୟ ।
ଏହି କେନ୍ଦ୍ରଗୁଡ଼ିକର ଲକ୍ଷ୍ୟ ହେଉଛି ସ୍ଥାନୀୟ ଯୁବକଯୁବତୀମାନଙ୍କୁ ବିଜନେସ୍ ପ୍ରୋସେସ୍ ମ୍ୟାନେଜମେଣ୍ଟ ଭୂମିକା ଯଥା ଡାଟା ଏଣ୍ଟ୍ରି ଅପରେଟର ଏବଂ ଡୋମେଷ୍ଟିକ୍ ଆଇଟି ହେଲ୍ପଡେସ୍କ ଆଟେଣ୍ଡାଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଦକ୍ଷତା ପ୍ରଦାନ କରିବା, ଯାହା ସେମାନଙ୍କର ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବ ଏବଂ ସମଗ୍ର ଅଞ୍ଚଳରେ ଉଜ୍ଜ୍ୱଳ କ୍ୟାରିୟର ସୁଯୋଗର ଦ୍ୱାର ଖୋଲିବ। ୨୦୦ ରୁ ୨୨୫ ଘଣ୍ଟାର ଏହି ପାଠ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ନିର୍ଦ୍ଦିଷ୍ଟ ବିଷୟଭିତ୍ତିକ ଏବଂ ସଫ୍ଟ ସ୍କିଲ୍ସ ତାଲିମ ପାଇବା ସହିତ ପ୍ରକୃତ କାର୍ଯ୍ୟକ୍ଷେତ୍ରର ଅନୁଭୂତି ଏବଂ ଶିଳ୍ପ ବିଶେଷଜ୍ଞଙ୍କ ମାର୍ଗଦର୍ଶନ (ମେଣ୍ଟରସିପ୍) ଲାଭ କରିବେ। ଏହି ପଦକ୍ଷେପ ଲିଙ୍ଗଗତ ସମାନତା ତଥା ଅନ୍ତର୍ଭୁକ୍ତିକରଣକୁ ମଧ୍ୟ ପ୍ରୋତ୍ସାହିତ କରୁଛି, ଯେଉଁଥିରେ ନାମ ଲେଖାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୦% ମହିଳା ଅଟନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରତିବର୍ଷ ଓଡ଼ିଶାର ସମସ୍ତ କେନ୍ଦ୍ରରେ ମୋଟ ୬୦୦ ଯୁବକଯୁବତୀ ଉପକୃତ ହେବେ।
ନୂତନ ପ୍ରଶିକ୍ଷଣ ବ୍ୟାଚ୍ଗୁଡ଼ିକର ଶୁଭାରମ୍ଭ ଅବସରରେ, ସ୍ଥାନୀୟ ଅଂଚଳର ପ୍ରତିନିଧି, ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଧିକାରୀ ଏବଂ ନାସକମ୍ ଫାଉଣ୍ଡେସନ୍ ର ପ୍ରତିନିଧିମାନଙ୍କ ଉପସ୍ଥିତିରେ ତିନୋଟି ଯାକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପାରାଦ୍ୱୀପରେ, ଭୂତମୁଣ୍ଡାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିପଳ ଗ୍ରାମରେ ନୂତନ ତାଲିମ ବ୍ୟାଚ୍ର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟର ପ୍ଲାଣ୍ଟ ହେଡ୍ ଶ୍ରୀ ଭବେଶ ଝା, ନୂଆଗଡ଼ ସରପଞ୍ଚ ଶ୍ରୀ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ଶ୍ରୀ ରୋହିତ ଜେନା ଏବଂ ପାରାଦ୍ୱୀପଗଡ଼ ସରପଞ୍ଚଙ୍କ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ, ସ୍ଥାନୀୟ ସମୁଦାୟର ପ୍ରତିନିଧି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ।
ସେହିଭଳି, କେନ୍ଦୁଝରରେ ନୂତନ ତାଲିମ ବ୍ୟାଚ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ଦାବୁନା ବେନିଫିସିଏସନ ପ୍ଲାଣ୍ଟର ମୁଖ୍ୟ ଶ୍ରୀ ଜୟବର୍ଦ୍ଧନ ପରୋହା ଏବଂ ଟେଲିଂ ଷ୍ଟୋରେଜ୍ ଫାସିଲିଟିର ମୁଖ୍ୟ ଶ୍ରୀ ଅଜିତ ସିଂହଙ୍କ ସମେତ ତାଲିମପ୍ରାପ୍ତ ଶିକ୍ଷାର୍ଥୀ ଓ ସ୍ଥାନୀୟ ଗ୍ରାମବାସୀ, ସ୍ଥାନୀୟ ସମୁଦାୟର ସଦସ୍ୟମାନେ ଯୋଗ ଦେଇଥିଲେ। ବଡ଼ବିଲରେ ଅନୁଷ୍ଠିତ ନୂତନ ତାଲିମ ବ୍ୟାଚ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଧିକାରୀମାନଙ୍କ ମଧ୍ୟରେ ଠାକୁରାଣୀ ଖଣିର ମ୍ୟାନେଜର ଶ୍ରୀ ଇନ୍ଦ୍ରକାନ୍ତ ସାହା, ସୁରକ୍ଷା ମୁଖ୍ୟ ଶ୍ରୀ ଉଦୟ ବର୍ମା ଏବଂ ଠାକୁରାଣୀ ଖଣିର କଲ୍ୟାଣ ଅଧିକାରୀ (ୱେଲଫେୟାର ଅଫିସର) ଶ୍ରୀ ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ନାସକମ୍ ଫାଉଣ୍ଡେସନ ର ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ତିଳକ ଦ୍ୱିବେଦୀ ତିନୋଟି ଯାକ କେନ୍ଦ୍ରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏହି ପଦକ୍ଷେପ ମାଧ୍ୟମରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ସ୍ଥାନୀୟ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ଆବଶ୍ୟକତା-ଭିତ୍ତିକ ମଞ୍ଚ ପ୍ରଦାନ କରୁଛି, ଯାହା ଫଳରେ ସେମାନଙ୍କର ନିଯୁକ୍ତି ଭିତ୍ତିକ ଯୋଗ୍ୟତା ଏବଂ ଜୀବିକାର ସୁଯୋଗ ବୃଦ୍ଧି ପାଉଛି। ଓଡ଼ିଶା, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ଗୁଜରାଟରେ ନିଜର କାର୍ଯ୍ୟକ୍ଷମ ଅଞ୍ଚଳଗୁଡ଼ିକରେ, ‘ପ୍ରୋଜେକ୍ଟ ଦକ୍ଷ’ ବାର୍ଷିକ ଆର୍ଥିକ ଦୁର୍ବଳ ବର୍ଗର ୧,୬୦୦ ଯୁବକ-ଯୁବତୀଙ୍କୁ ତାଲିମ ଦେବା ସହିତ ପ୍ରଶିକ୍ଷଣ ପରେ ୭୦% ନିଯୁକ୍ତି ପ୍ରଦାନର ଲକ୍ଷ୍ୟ ରଖିଛି। ଏଏମ୍/ଏନ୍ଏସ୍ ଇଣ୍ଡିଆ ବର୍ତ୍ତମାନ ଭାରତ ସାରା ୮ଟି ଡିଜିଟାଲ୍ ସ୍କିଲ୍ ସେଣ୍ଟର ପରିଚାଳନା କରୁଛି ଏବଂ ଆଜି ପର୍ଯ୍ୟନ୍ତ ନିଜର କାର୍ଯ୍ୟକ୍ଷମ ଅଞ୍ଚଳରୁ ୪,୦୦୦ ଶିକ୍ଷିତ ତଥା ବେକାର ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ କରିସାରିଛି, ଯେଉଁଥିରୁ ୨,୬୫୨ ଜଣ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି। ଏହି କାର୍ଯ୍ୟକ୍ରମ ସାର୍ଥକ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ସଶକ୍ତ କରିବା ଜାରି ରଖିଛି।