ମା’ ଇନ୍ଦିରା ମହିଳା ସମିତି ପକ୍ଷରୁ ନୂଆଖାଇ ଭେଟଘାଟ ଆୟୋଜିତ

9

ପଶ୍ଚିମ ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ଖାଦ୍ୟରେ ମହକିଲା ଉତ୍ସବ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ମା’ ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟାରେ ସିଭିଲ୍ ଟାଉନସିପ୍‌ସ୍ଥିତ ସମିତିର ଅସ୍ଥାୟୀ କାର୍ଯ୍ୟାଳୟ H4/13ରେ ‘ନୂଆଖାଇ ଭେଟଘାଟ’ ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଭାଇଚାରା, ସ୍ନେହ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ନେଇ ଆୟୋଜିତ ଏହି ଉତ୍ସବରେ ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ଖାଦ୍ୟର ଆସର ଜମିଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସ୍ମୃତି ଜେନା, ସପ୍ତମ ପାତ୍ର, ଲିପସା ଓ ଖୁସି ପ୍ରମୁଖ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ଶ୍ରୀକାନ୍ତ ଚୌଧୁରୀଙ୍କ ସଂଯୋଜନାରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ନନ୍ଦନ, ଡିମ୍ପଲ, ସସ୍ମିତା, ଶ୍ରୀକାନ୍ତ ଓ ରାଜ ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ।

ଉତ୍ସବରେ ବସ୍ତି ସୁରକ୍ଷା କମିଟିର ସଭାପତି ବୀରେନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ସୁରେଶ ଶର୍ମା, ଛବି ମହାନ୍ତି, ଶୈଳେନ୍ଦ୍ର ମହାନ୍ତି, ପୂଜା କମିଟିର ସଭାପତି ବନବିହାରୀ ରଣା, ପ୍ଲାବନୀ ପ୍ରଧାନ, ସସ୍ମିତା ମୁଖାର୍ଜୀ ଓ ନନ୍ଦନ ମୁଖାର୍ଜୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ସହ ଅତିଥିମାନଙ୍କୁ ଅଞ୍ଚଳର ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସମିତିର ସଭାପତି ପୁଷ୍ପା ଲେଙ୍କା କହିଥିଲେ ଯେ, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଆଦାନପ୍ରଦାନ ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ହେଉଛି ସମିତିର ମୁଖ୍ୟ ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମକୁ ସମିତିର ସମ୍ପାଦିକା ୱାଇ. ହେମଲତା ପରିଚାଳନା କରିଥିବାବେଳେ ସଞ୍ଜୁଲତା, ଲୀଳାବତୀ, ସୁଜାତା, ପ୍ରଭାତୀ, କ୍ରୀଷ୍ଣା ପଟେଲ, ସସ୍ମିତା ମହାନ୍ତି, ଝୁଲଣା ନାୟକ, ପିଙ୍କି, ରୀତା, ଶୋଭା, ପୁନମ, ପୂଜାଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟା ସହଯୋଗ କରିଥିଲେ। ଶେଷରେ ସମିତିର ଉପସଭାପତି ଡିମ୍ପଲ ସାହୁ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.