ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ କାରବାର ବିରୋଧରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣ ଧରାପଡ଼ିଥିବା ବେଳେ ୩ଟି ମୋଟରସାଇକେଲ ଓ ୬ଟି ମୋବାଇଲ ଫୋନ୍ ଜବତ ହୋଇଛି। ଅକ୍ଟୋବର ୮ ତାରିଖରେ ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ୍ ଶ୍ରୀମତୀ ସାଇନ ଶ୍ରୀ ଦାଶଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ବନ ବିଭାଗର ଏକ ସ୍ୱତନ୍ତ୍ର ଦଳ ପାରଳାଖେମୁଣ୍ଡି ନୂଆ ବସ୍ଷ୍ଟାଣ୍ଡ ନିକଟରେ ଦେବଗିରି ବନାଞ୍ଚଳର ଟିମ୍ ଚଢ଼ଉ କରି ହାଡୁଭାଙ୍ଗି ଗ୍ରାମର ଗୋରିଲା ରବି (୪୦) ଓ ପାରିଡ଼ା ଗ୍ରାମର ପ୍ରଫୁଲ୍ଲ ଘାଣ୍ଟା (୪୨)ଙ୍କୁ ଧରିଥିଲା। ସେମାନଙ୍କଠାରୁ ଗୋଟିଏ ବାଘଛାଲ ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରିଥିଲା। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ହେପାଜତକୁ ନିଆଯାଇଥିଲା।
ଅକ୍ଟୋବର ୯ ତାରିଖରେ ମୋହନା ବନାଞ୍ଚଳର ତୁଳସୀନଗର ନିକଟରେ ଚଢ଼ଉ କରାଯାଇ ଜଗା ମଲ୍ଲିକ (୩୬), ବିଜୟ ନନ୍ଦ ନାୟକ (୨୩), ତ୍ରିଲୋଚନ ପାତ୍ର (୩୫) ଓ ଦୀପକ କୁମାର ନାୟକ (୨୫)ଙ୍କୁ ଧରାଯାଇଥିଲା। ସେମାନଙ୍କଠାରୁ ଆଉ ଗୋଟିଏ ବାଘଛାଲ , ଦୁଇଟି ବାଇକ୍ ଓ ଚାରିଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନଙ୍କ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ଅଛି କି ନାହିଁ , ବାଘ ଛାଲ କେଉଁଠାରୁ ଆଣିଥିଲେ , କେଉଁଠାରେ ବାଘକୁ ଶିକାର କରଯାଇଥିଲା କେବେ ଶିକାର ହୋଇଥିଲା , ଅନ୍ତର ଜାତୀୟ ରକେଟ ସହ ସମ୍ପର୍କ ଅଛିକି ନାହିଁ ଏସବୁ ଦିଗକୁ ନେଇ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ .ନାଗରାଜୁ ସୂଚନା ଦେଇଛନ୍ତି।