ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଓ ନବ ଜୀବନ ଟ୍ରଷ୍ଟରେ ମହାଳୟା : ବଜ୍ରକାୟା ଓ ଜୀବଦୟା ସଂକଳ୍ପ ନେଲେ ଅନ୍ତେବାସୀ

15

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ମହାଳୟା ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରବାସ ଏବଂ ନବ ଜୀବନ ଟ୍ରଷ୍ଟ ଅନାଥ ବାଳିକା ଛାତ୍ରୀବାସ ପରିସରରେ ଏକ ନିଆରା ଆଧ୍ୟାତ୍ମିକ ତଥା ସଂସ୍କାରଧର୍ମୀ ସଭା ଅନୁଷ୍ଠିତ ହୋଇଯାଇଛି। ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଛାତ୍ରଛାତ୍ରୀମାନଙ୍କୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାରବିନ୍ଦରେ ସାମୂହିକ ଆତ୍ମନିବେଦନ କରାଇଥିଲେ।
​କାର୍ଯ୍ୟକ୍ରମରେ ଶ୍ରୀ ଚୌଧୁରୀ ଆଧ୍ୟାତ୍ମିକତାର ଚାରି ସ୍ତମ୍ଭ— ଜଗନ୍ନାଥ ସଂସ୍କୃତିର ବାଇଶି ପାହାଚ ମୋକ୍ଷ ଓ କୃତଜ୍ଞତା ତତ୍ତ୍ୱ , ଗୀତାର ଶାଶ୍ୱତ ଅମର ଆତ୍ମା ଦର୍ଶନ , ଜଗଦ୍‌ଗୁରୁ କୃପାଳୁ ଜୀଙ୍କ ପ୍ରେମ-ସ୍ମରଣପୂତ ଭକ୍ତି ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଅହଂକାରମୁକ୍ତ ମନ ପରିଚାଳନା ଉପରେ ଆଲୋକପାତ କରିଥିଲେ। ପିଲାମାନେ ନିଜକୁ କେବେ ଅସହାୟ ନ ଭାବି ବିଶ୍ୱପିତା ଜଗନ୍ନାଥଙ୍କୁ ନିଜର ମାତାପିତା ମଣି ସମାଜ କଲ୍ୟାଣରେ ବ୍ରତୀ ହେବାକୁ ସେ ଆହ୍ୱାନ ଦେଇଥିଲେ।
​ଏହି ଅବସରରେ ସମସ୍ତ ଅନ୍ତେବାସୀ ଏକତ୍ର ହୋଇ ଭାବପୂର୍ଣ୍ଣ କଣ୍ଠରେ ସାମୂହିକ ସଂକଳ୍ପ ପାଠ କରିଥିଲେ :
​”ତୁମେ ହିଁ ମାତା, ତୁମେ ହିଁ ପିତା, ହେ ପ୍ରଭୁ ଜଗନ୍ନାଥ!
ତୁମେ ହିଁ ବନ୍ଧୁ, ତୁମେ ହିଁ ସଖା, ତୁମେ ହିଁ ଆମ ନାଥ।
ସର୍ବ ପିତୃଙ୍କୁ ଅର୍ପୁଛୁ ଜଳ, ମନେ ରହୁ ଜୀବଦୟା,
ବଜ୍ର ପରି ହେଉ ଆମର କାୟା, ସଦା ଥାଉ ତୁମ ଛାୟା।”
​କାର୍ଯ୍ୟକ୍ରମ ଶେଷରେ ପିଲାମାନେ ମୂକ ପ୍ରାଣୀଙ୍କ ସେବା କରିବା ଏବଂ ବଜ୍ର ପରି ଦୃଢ଼ ମନୋବଳ ଗଠନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଉଭୟ ଅନୁଷ୍ଠାନର କର୍ମକର୍ତ୍ତା , ଶିକ୍ଷକ ଓ ଅନ୍ତେବାସୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିଲା।

Leave A Reply

Your email address will not be published.