ବେଲଗୁଣ୍ଠା , ୧୦/୧୦:(ଶିବରାମ ଚୌଧୁରୀ)-ବାଲ୍ୟ ବିବାହ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗାଙ୍ଗପୁର ପୁଲିସ ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷା ରୁନୁବାଳା ତ୍ରିପାଠୀଙ୍କ ଉପସ୍ଥିତିରେ ଯୁବ ରେଡକ୍ରସର ବରିଷ୍ଠ କାଉନସିଲର ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗଦେଇଥିବା ବେଳେ ଏସ୍ଆଇ ବିନାୟକ ବିଧାର, ଅଧ୍ୟାପିକା ସ୍ୱରୂପା ରାଣୀ ବିଶ୍ୱାଳ ଓ ଅଧ୍ୟାପକ ଦୀପକ ରାଓ ମଞ୍ଚାସୀନ ଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନ କରିଥିଲେ। ବିଶେଷକରି, ୧୮ ବର୍ଷ ବୟସ ପୂର୍ବରୁ ବିବାହ ନକରିବା ସହ ଶିକ୍ଷାକୁ ପ୍ରାଥମିକତା ଦେଇ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଶିକ୍ଷା ହିଁ ଜଣେ ଝିଅକୁ ସ୍ୱାବଲମ୍ବୀ କରିବା ସହ ନିଜ ଅଧିକାର ପ୍ରତି ସଚେତନ କରେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ବାଲ୍ୟ ବିବାହ ଭଳି ଘଟଣା ଦୃଷ୍ଟିକୁ ଆସିଲେ ନିରବ ନରହି ଆବଶ୍ୟକସ୍ଥଳେ ଆଇନର ସହାୟତା ନେବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।ଶେଷରେ ଅଧ୍ୟାପକ ଭବାନୀ ଶଙ୍କର ରା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।