ମାନସିକ ରୋଗର ଚିକିତ୍ସା ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍-୨ରେ

40

ଡିଜିଟାଲ୍ ବାୟୋଫିଡ୍ବ୍ୟାକ୍ ଥେରାପିର ଶୁଭାରମ୍ଭ


ଭୁବନେଶ୍ୱର, ଅକ୍ଟୋବର ୧୦: ମାନସିକ ସ୍ୱାସ୍ଥ୍ୟ ସେବାକୁ ଅଧିକ ଉନ୍ନତ ଓ ରୋଗୀ କୈନ୍ଦ୍ରିକ କରିବା ଦିଗରେ ଏକ ନୂଆ ପଦକ୍ଷେପ ସ୍ୱରୂପ ଫୁଲନଖରା ସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ -୨ର ମାନସିକ ରୋଗ ବିଭାଗରେ ଡିଜିଟାଲ୍ ବାୟୋଫିଡ୍ବ୍ୟାକ୍ ଥେରାପିର ଶୁଭାରମ୍ଭ କରାଯାଇଛି ।
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ଶନିବାର ହସ୍ପିଟାଲ୍ ପକ୍ଷରୁ ଏହି ନୂତନ ଚିକିତ୍ସା ପଦ୍ଧତି ସଂପର୍କରେ ସୂଚନା ଦିଆଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ପ୍ରମାଣଭିତିକ ଓ ପ୍ରଯୁକ୍ତିବିଦ୍ୟା ସହାୟକ ମାନସିକ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ସହ ରୋଗୀଙ୍କ ପାଇଁ ଚିକିତ୍ସାର ଅଧିକ ବିକଳ୍ପ ଉପଲବ୍ଧ କରାଇବା ଲକ୍ଷ୍ୟ ରଖାଯାଇଛି ।
ଡିଜିଟାଲ୍ ବାୟୋଫିଡ୍ବ୍ୟାକ୍ ଥେରାପି ଏକ ଅଣ-ଶଲ୍ୟ ଚିକିତ୍ସା ପଦ୍ଧତି । ଏହା ମାଧ୍ୟମରେ ବ୍ୟକ୍ତି ନିଜ ଶରୀରର କିଛି ଶାରୀରିକ ପ୍ରତିକ୍ରିୟାକୁ ବୁଝିବା ସହ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ଶିଖିପାରନ୍ତି । ଏହି ଥେରାପି ଉଦ୍ବେଗ, ଆତଙ୍କଜନିତ ଲକ୍ଷଣ ଓ ଦୈନନ୍ଦିନ ଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଟେନ୍ସନ୍ଜନିତ ମୁଣ୍ଡବିନ୍ଧା, ମାଇଗ୍ରେନ୍, ରକ୍ତଚାପ ନିୟନ୍ତ୍ରଣ, ମାଂସପେଶୀର ପୁନର୍ବାସ ଏବଂ କୋଷ୍ଠକାଠିନ୍ୟ ଓ ଇରିଟେବଲ୍ ବାୱେଲ୍ ସିଣ୍ଡେ୍ରାମ୍ (ଆଇବିଏସ୍) ଭଳି କେତେକ ରୋଗରେ ମଧ୍ୟ ଏହା ସହାୟକ ଚିକିତ୍ସା ଭାବେ ବ୍ୟବହୃତ ହୋଇଥାଏ ବୋଲି ହସ୍ପିଟାଲର ମାନସିକ ରୋଗ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଲଗ୍ନଜିତ୍ ଦାଶ କହିଛନ୍ତି ।


ଏହି ଚିକିତ୍ସା ପଦ୍ଧତିରେ ରୋଗୀଙ୍କ ଚର୍ମରେ ଇଲେକ୍ଟେ୍ରାଡ୍ ବା ସେନ୍ସର ଲଗାଯାଇ ହୃଦସ୍ପନ୍ଦନ , ମାଂସପେଶୀର ଟାଣ ଓ ଅନ୍ୟାନ୍ୟ ଶାରୀରିକ ପ୍ରତିକ୍ରିୟା ସଂପର୍କିତ ସଙ୍କେତ ରେକର୍ଡ କରାଯାଏ । ଏହି ସଙ୍କେତଗୁଡ଼ିକୁ ଏକ ମନିଟରରେ ଗ୍ରାଫ୍, ଶବ୍ଦ କିମ୍ବା ଅନ୍ୟାନ୍ୟ ସଙ୍କେତ ମାଧ୍ୟମରେ ପ୍ରଦର୍ଶିତ କରାଯାଏ । ଫଳରେ ରୋଗୀ ନିଜ ଶରୀରର ପ୍ରତିକ୍ରିୟାକୁ ତତକ୍ଷଣାତ୍ ଜାଣିପାରନ୍ତି ।
ପ୍ରଶିକ୍ଷିତ ଥେରାପିଷ୍ଟଙ୍କ ମାର୍ଗଦର୍ଶନରେ ରୋଗୀମାନେ ଶିଥିଳୀକରଣ ଓ ଆତ୍ମନିୟନ୍ତ୍ରଣ କୌଶଳ ଅଭ୍ୟାସ କରନ୍ତି । ନିୟମିତ ଅଭ୍ୟାସ ଦ୍ୱାରା ସେମାନେ ଯନ୍ତ୍ରର ସହାୟତା ବିନା ମଧ୍ୟ ନିଜ ଶାରୀରିକ ପ୍ରତିକ୍ରିୟାକୁ ଅଧିକ ଭଲ ଭାବେ ନିୟନ୍ତ୍ରଣ କରିବା ଶିଖିପାରନ୍ତି ।
“ଏହି ଥେରାପିର ପ୍ରଚଳନ ନବସୃଜନ ଦିଗରେ ଏକ ଛୋଟ ପଦକ୍ଷେପ ହୋଇପାରେ, କିନ୍ତୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଦିଗରେ ଏହାର ଗୁରୁତ୍ୱ ରହିଛି,” ବୋଲି ଡାକ୍ତର ଦାଶ କହିଛନ୍ତି ।
ଏହି ପଦକ୍ଷେପ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରୋଗୀଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ଜୀବନର ଗୁଣବତାରେ ଉନ୍ନତି ଆଣିବା ପାଇଁ ବିଭାଗର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି ।

Leave A Reply

Your email address will not be published.