‘କାର୍ତ୍ତିକ ପୂର୍ଣ୍ଣିମା’ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ -ଧର୍ମେନ୍ଦ୍ର ପ୍ରଧାନ
ପବିତ୍ର ‘କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ’ର ଶୁଭେଚ୍ଛା ଜଣାଇଲେ ସାଂସଦ
• ନୂଆଦିଲ୍ଲୀ ହଜଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗାଭସା କାର୍ଯ୍ୟକ୍ରମରେ ହେଲେ ସାମିଲ
• ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା, ସଭ୍ୟତା ଓ ସଂସ୍କୃତିକୁ ମନେପକାଇଲେ
• ବୈଶ୍ୱିକ ନୌବାଣିଜ୍ୟ ପରମ୍ପରାର ଅନେକ ଗୌରବମୟ ସ୍ମୃତି କାର୍ତ୍ତିକ ପୂର୍ଣ୍ଣିମା ଓ ଐତିହାସିକ ‘ବାଲିଯାତ୍ରା’ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ
• ପୂର୍ବପୁରୁଷମାନଙ୍କ ସାହସିକତା ଏବଂ ବାଣିଜ୍ୟିକ ଦକ୍ଷତା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରୁଛି
• ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ଏବଂ ଐତିହାସିକ ବିନ୍ଦୁସାଗର ଓଡ଼ିଆ ଜାତିର ସାମୂହିକ ଚେତନାରେ ଭକ୍ତି ଓ ବିଶ୍ୱାସର ଗଭୀର ସ୍ଥାନକୁ ପ୍ରତିଫଳିତ କରେ
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୪, ୨୦୨୬ – ପବିତ୍ର ‘କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ’ ଉତ୍ସବ ଉପଲକ୍ଷେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି।
ଆଜି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ହଜଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳନ ଓ ପାରମ୍ପରିକ ଡଙ୍ଗାଭସା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମନ୍ଦିର ପରିଚାଳନା ସମିତି ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ମିଳିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସନାତନ ପରମ୍ପରାରେ ତଥା ବିଶେଷକରି ଆମ ଓଡ଼ିଆ ଜାତି ପାଇଁ ଆଜିର ଦିନର ଏକ ସ୍ୱତନ୍ତ୍ର ଓ ଐତିହାସିକ ମହତ୍ତ୍ୱ ରହିଛି । ଓଡ଼ିଶାର ସମୃଦ୍ଧ ସଭ୍ୟତା, ଅର୍ଥନୀତି, ସଂସ୍କୃତି ଏବଂ ବୈଶ୍ୱିକ ନୌବାଣିଜ୍ୟ ପରମ୍ପରାର ଅନେକ ଗୌରବମୟ ସ୍ମୃତି କାର୍ତ୍ତିକ ପୂର୍ଣ୍ଣିମା ଓ ଐତିହାସିକ ‘ବାଲିଯାତ୍ରା’ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ଆମର ପୂର୍ବପୁରୁଷମାନଙ୍କ ସାହସିକତା ଏବଂ ବାଣିଜ୍ୟିକ ଦକ୍ଷତାର ଏହି ମହାନ ପରମ୍ପରା ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରୁଛି । ପିଢ଼ି ପରେ ପିଢ଼ି ଧରି ବିଶ୍ୱାସ, ସାହସ, ଉଦ୍ୟୋଗ ଓ ସାଂସ୍କୃତିକ ଆଦାନପ୍ରଦାନର କାହାଣୀକୁ ବହନ କରି ଆମର ଏହି ପରମ୍ପରା ଅତୁଟ ରହିଆସିଛି । ଐତିହାସିକ ‘ବାଲିଯାତ୍ରା’ ସମୟରେ ‘ଆ କା ମା ବୈ’ ଗାନ କରି ଡଙ୍ଗା ଭସାଇବାର ପରମ୍ପରା ଆମକୁ ପ୍ରାଚୀନ କଳିଙ୍ଗର ସାଧବ ପୁଅମାନଙ୍କ ବୀରତ୍ୱ ଓ ସାହସିକତାର କଥା ମନେପକାଇ ଦିଏ। ସେମାନଙ୍କର ବାଲି, ଜାଭା, ସୁମାତ୍ରା ଓ ଅନ୍ୟାନ୍ୟ ଦ୍ୱୀପପୁଞ୍ଜକୁ ନୌଯାତ୍ରା ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ସାତ ସମୁଦ୍ର ପାର କରାଇଥିଲା।
ସେ ଆହୁରି କହିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମା କେବଳ ନୌବାଣିଜ୍ୟ ନୁହେଁ, ବରଂ ଆମର ଆଧ୍ୟାତ୍ମିକ ପରମ୍ପରାର ମଧ୍ୟ ଏକ ମହାନ ଉତ୍ସବ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ପ୍ରଭୁ ଶ୍ରୀ ଲିଙ୍ଗରାଜରେ ଦର୍ଶନ ଏବଂ ଐତିହାସିକ ବିନ୍ଦୁସାଗର ଓଡ଼ିଆ ଜାତିର ସାମୂହିକ ଚେତନାରେ ଭକ୍ତି ଓ ବିଶ୍ୱାସର ଗଭୀର ସ୍ଥାନକୁ ପ୍ରତିଫଳିତ କରେ। ‘ବାର ମାସରେ ତେର ପର୍ବ’ ପାଳନ କରୁଥିବା ଓଡ଼ିଆ ଜାତି ବିଶ୍ୱର ଯେକୌଣସି କୋଣରେ ରହିଲେ ମଧ୍ୟ ମହାପ୍ରଭୁ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ନିକଟରେ ସମର୍ପିତ ରହିଥାଏ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମର ଏହି ପରମ୍ପରା କେବଳ ଇତିହାସର ପୃଷ୍ଠାରେ ସୀମିତ ହୋଇ ରହିନାହିଁ; ବରଂ ଏହା ସମାଜକୁ ଏକତ୍ରିତ କରୁଛି, ଭକ୍ତିଭାବ ଜାଗ୍ରତ କରୁଛି ଏବଂ ଆମର ସାଂସ୍କୃତିକ ସ୍ମୃତିକୁ ଜୀବନ୍ତ ରଖିଛି । ଅତୀତକୁ ସମ୍ମାନ ଜଣାଇବା ସହ ନିଜର ମୂଲ୍ୟବୋଧ ଓ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ହିଁ ଏକ ଜୀବନ୍ତ ସଭ୍ୟତାର ପ୍ରକୃତ ଶକ୍ତି । ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବଡ଼ ସ୍ୱାଭିମାନର ସହ ନିଜର ଐତିହ୍ୟ, ସଂସ୍କୃତି ଓ ସଂସ୍କାରର ପରିଚୟ ଦେଉଛନ୍ତି, ଯାହା ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।