ମହିଳାଙ୍କ ଧୂପକାଠି ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ଇ-ଯାନର ଶୁଭାରମ୍ଭ

8

ବ୍ରହ୍ମପୁର: ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ (ଏସ୍‌ଏଚ୍‌ଜି) ଦ୍ୱାରା ପ୍ରସ୍ତୁତ ପରିବେଶ ଅନୁକୂଳ ଧୂପକାଠିର ବିକ୍ରି ଓ ବଣ୍ଟନକୁ ସରଳ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍) ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ପଞ୍ଚମା ଗ୍ରାମସ୍ଥିତ ପଞ୍ଚମଙ୍ଗଳମ୍ ଧୂପକାଠି କେନ୍ଦ୍ରକୁ ଏକ ଇ-ଯାନ ପ୍ରଦାନ କରାଯାଇଛି। ଟିପିଏସ୍‌ଓଡିଏଲ୍ ପକ୍ଷରୁ ସ୍ଥାପିତ ଏହି କେନ୍ଦ୍ର ମାଧ୍ୟମରେ ମହିଳାମାନେ ନିକଟସ୍ଥ ମନ୍ଦିରଗୁଡ଼ିକରୁ ମ‌ଉଳା ଫୁଲ ସଂଗ୍ରହ କରି ସେଥିରୁ ଧୂପକାଠି ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ଫୁଲର ସଦୁପଯୋଗ ହେବା ସହ ପରିବେଶ ସୁରକ୍ଷା ଏବଂ ମହିଳାମାନଙ୍କ ପାଇଁ ରୋଜଗାର ଓ ଜୀବିକାର ସୁଯୋଗ ସୃଷ୍ଟି ହେଉଛି।

ଟିପିଏସ୍‌ଓଡିଏଲ୍‌ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ଏହି ଇ-ଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ଶ୍ରୀମତୀ ମଞ୍ଜୁ ଗର୍ଗଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ଓ ଟିପିଏସ୍‌ଓଡିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ମହିଳା ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ସହ ସ୍ଥାନୀୟ ସ୍ତରରେ ଜୀବିକାର ସୁଯୋଗ ସୃଷ୍ଟି କରିବାରେ ବିଶେଷ ଭାବରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ସ୍ଥାୟୀ ବିକାଶ କେବଳ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ସୀମିତ ନୁହେଁ ବରଂ ସମାଜର ଲୋକମାନେ ଯେପରି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ, ସେଥିପାଇଁ ସୁଯୋଗ ସୃଷ୍ଟି କରିବା ମଧ୍ୟ ଆମର ଲକ୍ଷ୍ୟ। ଏହି ପଦକ୍ଷେପ ମାଧ୍ୟମରେ ଆମେ ମହିଳା ଉଦ୍ୟୋଗୀମାନଙ୍କ ଉତ୍ପାଦନ ଓ ବିକ୍ରି କ୍ଷମତା ବଢ଼ାଇବା ସହ ଆବର୍ଜନାର ସଠିକ୍ ଉପଯୋଗ ଏବଂ ପରିବେଶ ସୁରକ୍ଷାକୁ ଉତ୍ସାହିତ କରିବାକୁ ଚାହୁଁଛୁ। ଏହି ସହାୟତା ଦ୍ୱାରା ସ୍ୱୟଂସହାୟକ ଗୋଷ୍ଠୀ ବଜାରରେ ନିଜ ଉତ୍ପାଦ ପହଞ୍ଚାଇବା ସହ ଅଧିକ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆମେ ଆଶା କରୁଛୁ।”

ଏହି ନୂତନ ଇ-ଯାନ ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀ ନିଜର ଉତ୍ପାଦଗୁଡ଼ିକୁ ବିଭିନ୍ନ ବଜାର, ଦୋକାନୀ ଏବଂ ଗ୍ରାହକଙ୍କ ନିକଟରେ ସହଜରେ ପହଞ୍ଚାଇ ପାରିବେ। ଏହାଦ୍ୱାରା ପରିବହନ ଖର୍ଚ୍ଚ କମିବା ସହ ଠିକ୍ ସମୟରେ ଉତ୍ପାଦ ପହଞ୍ଚାଇବା ଏବଂ ବ୍ୟବସାୟର ପରିସର ବଢ଼ିବ। ଏଥିସହ ପରିବେଶ ଅନୁକୂଳ ଯାତାୟାତକୁ ମଧ୍ୟ ପ୍ରୋତ୍ସାହନ ମିଳିବ।

କାର୍ଯ୍ୟକ୍ରମରେ କୋନ ଆକୃତିର ଧୂପ ପ୍ରସ୍ତୁତି ପାଇଁ ଏକ ନୂତନ ମେସିନ୍‌ର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ମେସିନ୍‌ ଦ୍ୱାରା ଉତ୍ପାଦନ କ୍ଷମତା ବଢ଼ିବା ସହ କାମ ଅଧିକ ସହଜ ଓ ଦକ୍ଷତାପୂର୍ଣ୍ଣ ହେବ। ଏହା ସହିତ ସ୍ୱୟଂସହାୟକ ଗୋଷ୍ଠୀ ନୂଆ ପ୍ରକାରର ଉତ୍ପାଦ ପ୍ରସ୍ତୁତ କରିବାର ସୁଯୋଗ ପାଇବ।

ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଧୂପକାଠି ଓ ଧୂପକୋନ ପାଇଁ ନୂଆ ଡିଜାଇନ୍‌ର ପ୍ୟାକେଜିଂର ଶୁଭାରମ୍ଭ। ଯାହା ନୂଆ ପ୍ୟାକେଜିଂ ଦ୍ୱାରା ଉତ୍ପାଦଗୁଡ଼ିକର ପରିଚୟ ଓ ବଜାରରେ ଆକର୍ଷଣ ବଢ଼ିବା ସହ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ ।

ଟିପିଏସ୍‌ଓଡିଏଲ୍ ମହିଳାଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ମନ୍ଦିରରୁ ବାହାରୁଥିବା ଫୁଲର ସଠିକ୍ ଉପଯୋଗ କରିବା ଏବଂ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.