କେନ୍ଦୁଝର,ତା୨୪/୧୧– କେନ୍ଦୁଝର ଟାଉନ୍ସ୍ଥିତ ଢେଙ୍କାପୁର ଶାସନର ଆରାଧ୍ୟ ଦେବତା ବାବା ବିଶ୍ୱେଶ୍ୱର ମହେଶ ଶିବ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ମାସ ଅବସରରେ ଭକ୍ତିମୟ ପରିବେଶରେ ତୁଳସୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଢେଙ୍କାପୁର ଶାସନର ତ୍ରିଲୋଚନ ନନ୍ଦ ଓ ଅରୁନ୍ଧତୀ ନନ୍ଦ (ଝିଅ ଘର)ଙ୍କ ପକ୍ଷରୁ ଏବଂ ରିମୁଳୀ, କେନ୍ଦୁଝରର ବଂଶୀଧର ବ୍ରହ୍ମା ଓ ଜ୍ୟୋତ୍ସ୍ନାରାଣୀ ବ୍ରହ୍ମା (ପୁଅ ଘର)ଙ୍କ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ଏହି ଧାର୍ମିକ ଉତ୍ସବରେ ଗ୍ରାମର ମହିଳା, ପୁରୁଷ ଓ ସମସ୍ତ ଗ୍ରାମବାସୀ ଉତ୍ସାହର ସହ ଯୋଗଦେଇଥିଲେ। ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଓ ଶ୍ରଦ୍ଧାପୂର୍ଣ୍ଣ ଉଦ୍ୟମରେ ସମଗ୍ର ମନ୍ଦିର ପ୍ରାଙ୍ଗଣ ଭକ୍ତି, ଆନନ୍ଦ ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଥିଲା।
ଏଭଳି ପାରମ୍ପରିକ ଧାର୍ମିକ ଆୟୋଜନ ଗ୍ରାମର ସଂସ୍କୃତି, ଐତିହ୍ୟ ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବା ସହ ନୂତନ ପିଢ଼ିଙ୍କ ମଧ୍ୟରେ ପରମ୍ପରା ପ୍ରତି ଶ୍ରଦ୍ଧା ଜାଗ୍ରତ କରୁଛି।