ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା: ନାମାଙ୍କନ ଯାଞ୍ଚ ପରେ ୨୧ ଆଶାୟୀଙ୍କ ତାଲିକା ପ୍ରକାଶ

12

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ଚଳିତ ୨୦୨୬-୨୦୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ମୋଟ ୨୪ ଜଣ ଉତ୍ସାହୀ ଛାତ୍ରଛାତ୍ରୀ ବିଭିନ୍ନ ପଦବୀ ପାଇଁ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମହାବିଦ୍ୟାଳୟ ନିର୍ବାଚନ କମିଟି ଦ୍ୱାରା ନିୟମାବଳୀ ଓ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ କଡ଼ା ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ପ୍ରକ୍ରିୟାରେ ୩ ଜଣ ଆଶାୟୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ଅବଶିଷ୍ଟ ୨୧ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ଓ ଗ୍ରହଣଯୋଗ୍ୟ ବୋଲି ଘୋଷଣା କରାଯାଇଛି ।

ସଭାପତି ପଦବୀ ପାଇଁ ପିୟୂଷ କୁମାର ଦାଶ, ସୌଗମ୍ ତାଣ୍ଡି, ଡୋଲାମଣି ରୋହିଦାସ ଓ ଆର୍ୟନ ରଣାଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ସେହିପରି ଉପ-ସଭାପତି ପଦବୀ ପାଇଁ ମୌସୁମୀ ସିଂ ବରିହା ,ଧରିତ୍ରୀ ବରିହା, ସୁନୀଲ ସାହୁ ଓ ଆଦିତ୍ୟ ନାରାୟଣ ସାହୁ ଓନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସମ୍ପାଦକ ପଦବୀ ନିମନ୍ତେ ଚିନ୍ମୟ ପଟେଲ, ତନ୍ମୟ ପ୍ରଧାନ, ଅମିତ କୁମାର ରଣା, ଜିତେଶ୍ୱରୀ ନାଏକ, ଆଭାଷ ପାଣ୍ଡେ, ଚିତ୍ତ ରଞ୍ଜନ ମେହେର ଓ ଡିମ୍ପଲ୍ ରଣା ପ୍ରମୁଖ ମଇଦାନକୁ ଓହ୍ଲାଇଛନ୍ତି । ସାଧାରଣ ସମ୍ପାଦକ ପଦବୀ ପାଇଁ କୋଶଳ ପଧାନ, ଯୋଗେଶ ବେହେରା ଓ ମାନସ ବେରିଆ ପ୍ରତିଯୋଗିତା କରୁଥିବା ବେଳେ ସହକାରୀ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଯୁବରାଜ ସାହୁ ଓ ଆର୍ଯ୍ୟ ବଞ୍ଛୋର ନିଜର ଦାବି ମଜବୁତ କରିଛନ୍ତି । ଏହା ବ୍ୟତୀତ ବାଣିଜ୍ୟ ବିଭାଗ ଶ୍ରେଣୀ ପ୍ରତିନିଧି ଭାବେ ଶକ୍ତି ମେହେର ମଧ୍ୟ ବୈଧ ପ୍ରାର୍ଥୀ ଭାବେ ସ୍ଥାନ ପାଇଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ଲିଙ୍ଗଡୋ କମିଟିର ସୁପାରିଶ, ଉଚ୍ଚଶିକ୍ଷା ବିଭାଗ ଓ ମହାବିଦ୍ୟାଳୟର ସମସ୍ତ ନିର୍ବାଚନୀ ଆଚରଣ ବିଧିକୁ ସ୍ୱଚ୍ଛତା ଓ ଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.