ଶ୍ରୀରଘୁନାଥଜୀଉଙ୍କ ପଞ୍ଚୁକ ଯାତ୍ରା

12


କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ, ରାଧାବେଶରେ ମା’ ସୀତା


ଓଡ଼ଗାଁ, ୨୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ପଞ୍ଚୁକ ଯାତ୍ରା ଅବସରରେ କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୃଷ୍ଣବେଶ ଏବଂ ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହି ମନୋଲୋଭା ବେଶରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀକୃଷ୍ଣଙ୍କ ରୂପରେ ଛନ୍ଦାଚରଣ ଭଙ୍ଗୀରେ ବଂଶୀବାଦନ ଠାଣିରେ ବିରାଜମାନ କରିଥିବା ବେଳେ କପାଳରେ ବାଙ୍କଚୂଡ଼ କିରୀଟ ଶୋଭା ପାଉଥିଲା। ସେହିପରି ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ହଳ ଓ ମୂଷଳ ଧାରଣ କରି ଦର୍ଶନ ଦେଇଥିଲେ। ପ୍ରଭୁଙ୍କ ନିକଟରେ ମା’ ସୀତା ଶ୍ରୀରାଧାଙ୍କ ବେଶରେ ବିରାଜମାନ କରି ଏହି ଦିବ୍ୟ ବେଶର ଶୋଭା ବର୍ଦ୍ଧନ କରିଥିଲେ। ପ୍ରଭୁଙ୍କ ଏହି ଅପୂର୍ବ ଓ ମନୋମୁଗ୍ଧକର ବେଶ ଦର୍ଶନ ପାଇଁ ସନ୍ଧ୍ୟାରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ବିଶେଷକରି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନେ ଗୋଟିଏ ପୀଠରେ ଶ୍ରୀରାମଙ୍କୁ ଶ୍ରୀକୃଷ୍ଣ, ଲକ୍ଷ୍ମଣଙ୍କୁ ବଳରାମ ଏବଂ ମା’ ସୀତାଙ୍କୁ ଶ୍ରୀରାଧା ରୂପରେ ଦର୍ଶନ କରିବା ସହ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦିବ୍ୟ ସ୍ୱରୂପର ଭାବାନୁଭୂତି ଲାଭ କରିଥିଲେ। ‘ଯିଏ ରାମ, ସିଏ କୃଷ୍ଣ, ସିଏ ଜଗନ୍ନାଥ’ ଭାବଧାରାରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଏହି ଅବସରରେ ପାଳିଆ ପଣ୍ଡା ବେଣୁଧର ନନ୍ଦ, ପୂଜକ ପରିଷଦର କର୍ମକର୍ତ୍ତା, ମନ୍ଦିର ପରିଚ୍ଛା ଓ ମନ୍ଦିର ପରିଚାଳକ ଶୃଙ୍ଖଳିତ ଭାବେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ।

Leave A Reply

Your email address will not be published.