କାର୍ତ୍ତିକେଶ୍ୱର ପୂଜା ଅବସରରେ ଭଜନ ସମାରୋହ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ବିଧାୟକ

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ମାସ ଅବସରରେ କାର୍ତ୍ତିକେଶ୍ୱର ପୂଜା ଉପଲକ୍ଷେ ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହି ନିକଟରେ ପୂଜା କମିଟି ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ଶ୍ରୀ କେ. ନାରାୟଣ ରାଓ ଯୋଗଦେଇଥିଲେ। ସେ ଭଗବାନ କାର୍ତ୍ତିକେଶ୍ୱରଙ୍କ ନିକଟରେ ଜିଲ୍ଲାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହ ଠାକୁରଙ୍କ ଆଳତି ଦର୍ଶନ କରିଥିଲେ। ପରେ ସେ ଆନୁଷ୍ଠାନିକ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଆୟୋଜକ କମିଟି ସଦସ୍ୟ ମାନଙ୍କୁ ଭୂୟସୀ ପ୍ରଂଶସା କରିଥିଲେ।
ଏହି ଅବସରରେ ପୂଜା କମିଟିର ମୁଖ୍ୟ ଶ୍ରୀ ନରେଶ ସାହୁ , ବରିଷ୍ଠ ନେତା ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରଘୁନାଥ ପାତ୍ର ଏବଂ ମଞ୍ଚ ଅଭିନେତା ଶ୍ରୀ ଆଦର୍ଶ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭକ୍ତି ନୈବେଦ୍ୟ’ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭକ୍ତିମୟ ଭଜନ ପରିବେଷଣ କରାଯାଇଥିଲା। ଭଜନର ମଧୁର ସ୍ୱରରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁମାନେ ଏହାର ଭରପୂର ଆନନ୍ଦ ଉଠାଇଥିଲେ।

Leave A Reply

Your email address will not be published.