ଏବେ ବି ନିୟମିତ ଭତ୍ତା ପାଉନାହାନ୍ତି ହିତାଧିକାରୀ

14

ଓଡ଼ଗାଁ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ସମାଧାନ ନେଇ ବିଡିଓଙ୍କ ପ୍ରତିଶ୍ରୁତି

ଓଡ଼ଗାଁ, ୨୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ବ୍ଲକ ମିଶନ ଶକ୍ତି ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା ଏବଂ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଏହି ଶିବିରକୁ ଗୋଡ଼ିପଡ଼ାଠାରୁ ସୁନାମୁହିଁ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଅଭିଯୋଗକାରୀ ମାନେ ଆସିଥିଲେ। ଗୋଡ଼ିପଲ୍ଲୀ, କଜଳାଇପଲ୍ଲୀ, ପାଣ୍ଡେରିପଡ଼ା ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅନେକ ହିତାଧିକାରୀ ଦୀର୍ଘଦିନ ଧରି ନିୟମିତ ଭାବେ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଅଭିଯୋଗ ଉପସ୍ଥାପନ କରାଯାଇଥିଲା। ତେବେ ଭତ୍ତା ପ୍ରଦାନରେ ଲାଗିରହିଥିବା ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ଧରି ଅନେକ ଭତ୍ତା ହିତାଧିକାରୀ ନିୟମିତ ଭାବେ ଭତ୍ତା ପାଇପାରୁନାହାନ୍ତି। ଫଳରେ ସେମାନେ ଆର୍ଥିକ ଓ ଦୈନନ୍ଦିନ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଭାବେ ଅନେକ ଆବେଦନକାରୀଙ୍କୁ ଭତ୍ତା ମଞ୍ଜୁର ହୋଇଥିବାରୁ ନିୟମିତ ଭତ୍ତା ମିଳିବ ବୋଲି ସେମାନେ ଆଶା ରଖିଥିଲେ। କିନ୍ତୁ ନୂଆ ଭତ୍ତା ମଞ୍ଜୁର ହେବା ସତ୍ତ୍ୱେ ପୁରୁଣା ସମସ୍ୟାର ସମାଧାନ ହୋଇନଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିବିରରେ ଅତିରିକ୍ତ ଏବିଡିଓ କବିତା କୁମାରୀ ପ୍ରଧାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.