କଂଗ୍ରେସ ପାର୍ଟି ପକ୍ଷରୁ ଓଡିଶା ବନ୍ଦ ଡାକରା ରେ ବିଜେପି – କଂଗ୍ରେସ ମୁହାଁମୁହିଁ, ଥାନା ଆଗରେ ଧାରଣା ଦେଲା କଂଗ୍ରେସ

33

ହିଞ୍ଜିଳିକାଟୁ:୦୮/୧୦/୨୬(ରଜତ ପଟ୍ଟନାୟକ)ଏମ୍‌ଏମ୍‌ଡିଆର୍‌ ଆକ୍ଟ ପ୍ରତ୍ୟାହାର ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଦିନିକିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା।ବନ୍ଦର ପ୍ରଭାବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ହିଞ୍ଜିଳିରେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ,ଗୁରୁବାର ସକାଳୁ ହିଞ୍ଜିଳିରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଓ ପ୍ରତିବାଦ ଆରମ୍ଭ ହୋଇଥିଲା।ହିଞ୍ଜିଳି କଂଗ୍ରେସ ପଶ୍ଚିମ ଉପସଭାପତି ସୁନାରାମ ସାବତଙ୍କ ସମେତ ତାଙ୍କ ସମର୍ଥକ ଥିବା ବେଳେ ଏହି ସମୟରେ ୬୭ ନଂ ବିଜେପି ମଣ୍ଡଳ ସଭାପତି ରବି ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଗାଡି ନ ଛାଡିବା ନେଇ ଭିଡିଓ ରେକର୍ଡିଙ୍ଗ କରିଥିଲେ।ପରେ ବିଜେପି ମଣ୍ଡଳ ସଭାପତି ରବି ପାଣିଗ୍ରାହୀ ଓ କଂଗ୍ରେସ ଜିଲ୍ଲା ଉପସଭାପତି ସୁନାରାମ ସାବତଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଏହା ପରବର୍ତ୍ତୀ ସମୟରେ ଗଣ୍ଡଗୋଳର ରୂପ ନେଇଥିବା ଅଭିଯୋଗ ହୋଇଛି।କଂଗ୍ରେସ ପକ୍ଷରୁ ରବି ପାଣିଗ୍ରାହୀ କଂଗ୍ରେସର ସୁନାରାମ ସାବତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଅଣାଯାଇଛି।ତେବେ ଘଟଣାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ଘଟଣା ପରେ ହିଞ୍ଜିଳି ପୋଲିସ କଂଗ୍ରେସ ଜିଲ୍ଲା ଉପସଭାପତି ସୁନାରାମ ସାବତଙ୍କୁ ଥାନାକୁ ନେଇ ଅଟକ ରଖିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ଏହାକୁ ନେଇ ରବି ପାଣିଗ୍ରାହୀଙ୍କୁ ଗିରଫ ଦାବିରେ ଜିଲ୍ଲା ସଭାପତି ଦଣ୍ଡପାଣି ପାତ୍ର ଓ ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ ଙ୍କ ସମେତ କଂଗ୍ରେସ କର୍ମୀମାନେ ହିଞ୍ଜିଳି ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି।କଂଗ୍ରେସ ଜିଲ୍ଲା ସଭାପତି ଦଣ୍ଡପାଣି ପାତ୍ରଙ୍କ କହିବା ଅନୁଯାୟୀ,ଧାରଣାରେ ବସିଥିବା କର୍ମୀମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଡାକି ଆଲୋଚନା କରାଯାଇନାହିଁ।ଖବର ଲେଖିବା ପୁର୍ବରୁ ପରିସ୍ଥିତି ଉପରେ ପୋଲିସ ନଜର ରଖିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି |

Leave A Reply

Your email address will not be published.