ମିଳିତ ହୋଇ କାର୍ଯ୍ୟ କରିବା ଏକ ସ୍ପଷ୍ଟ ପରିବର୍ତ୍ତନର ସୂଚନା’
ଓଡ଼ଗାଁ, ୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) କାର୍ଯ୍ୟାଳୟ ପରିସରରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସେବା ସେତୁ ସଙ୍କଳ୍ପ ଅଭିଯାନ-୨୦୨୬’ ଏବଂ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅବସରରେ ଏହି ବୃକ୍ଷରୋପଣ କରାଯାଇଥିଲା । ସେପ୍ଟେମ୍ବର ୧୭ ତାରିଖରୁ ଓଡ଼ଗାଁ ଏନ୍ଏସି ପକ୍ଷରୁ ବିଭିନ୍ନ ଜନସଚେତନତା ମୂଳକ ଓ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଏହାର ଅଂଶବିଶେଷ ଭାବେ ‘ମିଳିତ ହୋଇ କାର୍ଯ୍ୟ କରିବା ଏକ ସ୍ପଷ୍ଟ ପରିବର୍ତ୍ତନର ସୂଚନା’ ବାର୍ତ୍ତାକୁ ଆଧାର କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଓଡ଼ଗାଁ ବିକାଶ ପରିଷଦର ସୁଶାନ୍ତ କୁମାର ସାହୁ ଓ ବରେନ୍ଦ୍ର ନନ୍ଦଙ୍କ ସମେତ ପ୍ରକୃତିପ୍ରେମୀ ଅଚ୍ୟୁତ ପଣ୍ଡା, ମାନସ ରଞ୍ଜନ ସାହୁ ଓ ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାନିଟେସନ୍ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ, ଇଞ୍ଜିନିୟର ଜ୍ଞାନ ରଞ୍ଜନ ନାୟକ, ସାର୍ଥକ ସ୍ୱାଇଁ, ନୀଳମାଧବ ମିଶ୍ର, ଏମ୍. ଶୁଭମ୍ ଓ ସୂର୍ଯ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ଓଡ଼ଗାଁ ମହୋତ୍ସବ ପଡ଼ିଆରେ ଓଲଟ ଦେବଦାରୁ, ନିମ୍ବ, ବେଲ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯିବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି।