ଭୁବନେଶ୍ୱର, ୨୨.୧୧.୨୦୨୬: କବି ସ୍ବୟଂପ୍ରଭା ରଥଙ୍କ ରଚିତ ଇଂରାଜୀ କବିତା ସଂକଳନ ‘ଆସେସ ଟୁ ଆନ୍ଥେମ’ ଗତକାଲି ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥ୍ ରୂପେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସ୍ଵନାମଧନ୍ୟ ତଥା ପ୍ରବୀଣ କବି ଡକ୍ଟର ଫନୀ ମହାନ୍ତି ପୌରହିତ୍ୟ କରିଥିଲେ । କିସ ବିଶ୍ଵ ବିଦ୍ୟାଳୟର ମାନବ ସମ୍ବଳ ମୁଖ୍ୟ ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ ଭୋଇ ‘ଆସେସ ଟୁ ଆନ୍ଥେମ’ ପୁସ୍ତକରେ ସ୍ଥାନିତ କବିତା ଗୁଡ଼ିକର ସମ୍ବେଦନଶୀଳ ଦୃଷ୍ଟି ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର ସୁଧୀର କୁମାର ଯୋଶୀ କବିତା ଗୁଡ଼ିକର ଚିତ୍ରକଳ୍ପର ବ୍ୟବହାର ବିଷୟରେ ଆଲୋକପାତ କରିଥିଲେ ଏବଂ ପ୍ରଫେସର ମନୀନ୍ଦ୍ର ମେହେର କବିତା ଗୁଡ଼ିକର ପ୍ରବାହମାନତା ବିଷୟରେ ଉପସ୍ଥିତ ପାଠକ ପାଠିକାଙ୍କୁ ଅବଗତ କରାଇଥିଲେ । ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ଶ୍ରୀ ଆଶୁତୋଷ ରଥ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ଆବାହକ ଥିଲେ ଓ କବି ସ୍ୱୟଂପ୍ରଭାଙ୍କ କବିତାର ଯାତ୍ରା, ତଥା ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ସାହିତ୍ୟକ, ସ୍ଵନାମଧନ୍ୟ କବି, ପତ୍ର-ପତ୍ରିକାର ବିଶିଷ୍ଟ ସମ୍ପାଦକମାନେ ଉପସ୍ଥିତ ରହି ସଭାଗୃହକୁ ଗରିମା ମଣ୍ଡିତ କରିଥିଲେ । ଡକ୍ଟର ସୋନାଲି ସାହୁ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।