କୁଚିଣ୍ଡାରେ ‘ନୂଆଁଖାଇ ଭେଟଘାଟ’ରେ ସାଂସଦଙ୍କ ଉଦବୋଧନ
• ସ୍ୱାଧୀନତା ଆନ୍ଦୋଳନ ଓ ଓଡ଼ିଶା ଗଠନରେ ବାମଣ୍ଡା ରାଜା ସାର୍ ସୁଢ଼ଳ ଦେବ, ସ୍ୱଭାବ କବି ଗଙ୍ଗାଧର ମେହେର ଓ ଚନ୍ଦ୍ରଶେଖର ବେହେରାଙ୍କ ଅବଦାନକୁ ମନେପକାଇଲେ
• ୧୯୫୫ ମସିହାରୁ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା କୁଚିଣ୍ଡା କଳା ପରିଷଦର ୭୦ ବର୍ଷର ନିଷ୍ଠାକୁ ପ୍ରଶଂସା
• କୁଚିଣ୍ଡାରେ ନୂଆଁଖାଇ କାର୍ଯ୍ୟକ୍ରମ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଥିବା ଲୋକଙ୍କର ଅଭିବ୍ୟକ୍ତିର ପ୍ରମାଣ
କୁଚିଣ୍ଡା, ସମ୍ବଲପୁର ୮ ଅକ୍ଟୋବର ୨୦୨୬ – ନୂଆଁଖାଇ ଆତ୍ମୀୟତା, ପରମ୍ପରା ଓ ଏକତାର ପ୍ରତୀକ ବୋଲି ଗୁରୁବାର ସମ୍ବଲପୁର କୁଚିଣ୍ଡାରେ ଆୟୋଜିତ ‘ନୂଆଁଖାଇ ଭେଟଘାଟ-୨୦୨୬’ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଳା ପରିଷଦ, କୁଚିଣ୍ଡା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ନୂଆଁଖାଇ ଭେଟଘାଟ ପର୍ବର ପବିତ୍ରତା, ଭାଇଚାରା ଓ ଆତ୍ମୀୟତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । କୁଚିଣ୍ଡାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି କହିଥିଲେ ଯେ, କୁଚିଣ୍ଡା ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର। ଆଜିକୁ ପ୍ରାୟ ୭୦ ବର୍ଷ ପୂର୍ବେ, ୧୯୫୫ ମସିହାରେ କୁଚିଣ୍ଡା କଳା ପରିଷଦ ଗଠନ ହୋଇଥିଲା। ଏହା ଅଞ୍ଚଳର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଥିବା ଗଭୀର ନିଷ୍ଠାର ଏକ ଜ୍ୱଳନ୍ତ ପ୍ରମାଣ ।

ସେ ଆହୁରି ମଧ୍ୟ ସ୍ମରଣ କରାଇଥିଲେ ଯେ, ସ୍ୱାଧୀନତା ଆନ୍ଦୋଳନ, ଓଡ଼ିଶା ଗଠନ ଏବଂ ଓଡ଼ିଆ ଭାଷା ଆନ୍ଦୋଳନରେ ବାମଣ୍ଡା ରାଜା ସୁଢ଼ଳ ଦେବ, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଚନ୍ଦ୍ରଶେଖର ବେହେରାଙ୍କ ପରି ମହାନ ବ୍ୟକ୍ତିତ୍ୱମାନଙ୍କର ଅତୁଳନୀୟ ଯୋଗଦାନ ରହିଛି । କଳା ପରିଷଦର ସମସ୍ତ କର୍ମକର୍ତ୍ତା ଓ କୁଚିଣ୍ଡାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଅବସରରେ ମନୋରଞ୍ଜନ ଓ ଆତ୍ମୀୟ ଭେଟଘାଟର ପରମ୍ପରା ସମସ୍ତଙ୍କ ମଧ୍ୟରେ ଏକତା ବଜାୟ ରଖିବ ବୋଲି ସାଂସଦ ଶ୍ରୀ ପ୍ରଧାନ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପାନୀୟ ଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବିଶିଷ୍ଟ ସାଂସ୍କୃତିକ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।