ଖଲିଆପାଲି,, ବଲାଙ୍ଗୀର, ୨୧ ନଭେମ୍ବର ୨୦୨୬: ବଲାଙ୍ଗୀର ପୌରାଞ୍ଚଳ ର ଖଲିଆପାଲିସ୍ଥିତ ଡଃ ବି.ଆର୍. ଆମ୍ବେଦକର ଷ୍ଟାଡିୟମଠାରେ ୟୁଥ୍ କାଉନସିଲ୍ ଫର୍ ଡେଭଲପମେଣ୍ଟ ଅଲ୍ଟରନେଟିଭ୍ସ (YCDA) ପକ୍ଷରୁ ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି। YCDAର ‘ଟୁ ଫିଟ୍ ଅହେଡ୍ ଟୁଗେଦର୍’ (TFAT) କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ମହୋତ୍ସବରେ ପ୍ରାୟ ୫୦୦ ଜଣ ଶିଶୁ ଓ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ।ଶିଶୁମାନଙ୍କ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରକାଶ, ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଶିଶୁମାନଙ୍କୁ ଏକ ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ଯୋଗାଇଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ଶିଶୁମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଶିଶୁମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ।
ଚଳିତ ବର୍ଷର ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ଥିଲା ‘ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଓ ସାଇବର ସୁରକ୍ଷା’। ଏହି ଅବସରରେ ଆୟୋଜିତ ଟକ୍ ଶୋ’ରେ ଇଣ୍ଟରନେଟ୍ର ସଠିକ୍ ବ୍ୟବହାର, ଅପବ୍ୟବହାର, ଅତ୍ୟଧିକ ବ୍ୟବହାର ଏବଂ ଏହାର ଶିଶୁମାନଙ୍କ ମାନସିକ ଓ ସାମାଜିକ ଜୀବନ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାଇବର ଅପରାଧରୁ ନିଜକୁ କିପରି ସୁରକ୍ଷିତ ରଖିବେ ଏବଂ ଡିଜିଟାଲ୍ ମାଧ୍ୟମକୁ କିପରି ସଚେତନତାର ସହ ବ୍ୟବହାର କରିବେ, ସେ ସମ୍ପର୍କରେ ଶିଶୁ ଓ ଅଭିଭାବକମାନଙ୍କୁ ଉପଯୋଗୀ ପରାମର୍ଶ ଦିଆଯାଇଥିଲା।ସେହିପରି ଅଭିଭାବକମାନଙ୍କ ପାଇଁ ‘ଉତ୍ତମ ପ୍ୟାରେଣ୍ଟିଂ ଦକ୍ଷତା’ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା। ଶିଶୁମାନଙ୍କ ଭାବନାକୁ ବୁଝିବା, ସେମାନଙ୍କ କଥାକୁ ଗୁରୁତ୍ୱ ଦେବା, ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିବା ଏବଂ ଡିଜିଟାଲ୍ ଯୁଗରେ ଅଭିଭାବକମାନଙ୍କ ଦାୟିତ୍ୱ ଓ ପ୍ରତିକ୍ରିୟା କିପରି ହେବା ଉଚିତ, ସେ ନେଇ ଆଲୋଚନା କରାଯାଇଥିଲା।
ମହୋତ୍ସବରେ ବିଭିନ୍ନ ମନୋରଞ୍ଜନମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁମାନଙ୍କ ମନ ମୋହିଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିଭାବାନ ଶିଶୁମାନେ ମଞ୍ଚରେ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଶେଷ ଆକର୍ଷଣ ଭାବେ ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ହାସ୍ୟରସାତ୍ମକ ପରିବେଷଣ ଶିଶୁମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା।ଶିଶୁମାନଙ୍କ ଜ୍ଞାନ, ଶିକ୍ଷା ଓ ଅନୁଭୂତି ବୃଦ୍ଧି ପାଇଁ ବିଭିନ୍ନ ସଂସ୍ଥା ଓ ବିଭାଗ ପକ୍ଷରୁ ସଚେତନତା ଓ ସୂଚନାଭିତ୍ତିକ ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିକ୍ରମ ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଏସ୍ ଲତଶ୍ରୀ, ସିଡ଼ିପିଓ ଶ୍ରୀମତୀ ମୀରା ଦୀପ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ରତ୍ନାମୟୀ ପୁରୋହିତ ଅତିଥି ଭାବେ ଯୋଗଦାନ କରିଥିଲେ। ୱାଇସିଡିଏ ବୋର୍ଡ ମେମ୍ବର ଅରୁଣ କୁମାର ପ୍ରଧାନ ପତାଙ୍ଗୀ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଏହି ଅବସର ରେ ଭାଲେର ଗ୍ରାମ ପଞ୍ଚାୟତ କୁ ଡିସିପିଓ ଶିଶୁ ସୁଲଭ ପଞ୍ଚାୟତ ଭାବେ ଘୋଷଣା କରିଥିଲେ। ସାଇବର୍ କ୍ରାଇମ ଉପରେ ସାଇବର୍ କ୍ରାଇମ ଡିପାର୍ଟମେଣ୍ଟ ବଲାଙ୍ଗୀର ର ଆଇ.ଆଇ ସି ଆରତୀ ନାଏକ ଶିଶୁ ମାନଙ୍କୁ ଅବଗତ କରାଇଥିଲେ। ଏବଂ ପ୍ୟାରେନ୍ଟାଲ୍ ସ୍କିଲ୍ ଉପରେ ଦଳଗତ ଚର୍ଚ୍ଚା ହୋଇଥିଲା ଯେଉଁଥିରେ ଡ. ମଞ୍ଜୁବାଳା ପଣ୍ଡା, ଏଲ.ପି.ଓ-ଡିସିପିୟୁ, ବଲାଙ୍ଗୀର ଦିଗାମ୍ବର କରଏବଂ ଅରୁଣ କୁମାର ପ୍ରଧାନ ପେନାଲିଷ୍ଟ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଯୁଧିଷ୍ଠିର କଲେଜର 30 ଜଣ ଯୁବ ସ୍ୱେଚ୍ଛାସେବୀ ମଧ୍ୟ ଯୋଗଦାନ କରିଥିଲେ। ଭାଲେର୍, ଆଠଗାଁ, ଦଶପୁର, ମହିମୁଣ୍ଡା,ଛତାପିପଲ ଏବଂ କୁରୁଲ ର ସରପଞ୍ଚ ଙ୍କୁ ସମ୍ମାନିତ କରା ଯାଇଥିଲା।କାର୍ଯ୍ଯକ୍ରମ କୁ ୱାଇସିଡିଏ ର ଜିଲ୍ଲା ସଂଯୋଜିକା ଆନନ୍ଦିନି ରଥ ପରିଚାଳନା କରିଥିଲେ, ଏବଂ ୱାଇସିଡିଏ ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ସମ୍ପାଦନ କରିଥିଲେ।
Sign in
Sign in
Recover your password.
A password will be e-mailed to you.