ହାତରେ ମୁଦି ଓ ମୋବାଇଲ ନଥିବା ଜଣାପଡ଼ିଛି
ଓଡ଼ଗାଁ,୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଶରୀର ଦଶପଲ୍ଲା ରେଳ ଷ୍ଟେସନ ଠାରେ ରେଲୁଏ ପୋଲିସ ଦ୍ବାରା ବଗିରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ନୟାଗଡ଼ ଦେବୋତ୍ତର କଲୋନୀ ୫ ନମ୍ବର ଲେନରେ ରହୁଥିବା ଶରଣକୁଳ କଲେଜ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ର ନୟାଗଡ଼ ଆସିବା ନିମନ୍ତେ ଗୁରୁବାର ସକାଳ ସାଢେ଼ ୯ଟା ବେଳେ ଦଶପଲ୍ଲା ଅଭିମୁଖେ ଆସୁଥିବା ଟ୍ରେନରେ ବସିଥିଲେ। ୧୧ଟା ୩୪ ମିନିଟରେ ଟ୍ରେନ୍ ନୟାଗଡ଼ ଠାରେ ପହଞ୍ଚିଥିଲା। ସେଠାରେ ନୟାଗଡ଼ ଲୋକ ଓହ୍ଲାଇ ଯାଇଥିଲେ। କିନ୍ତୁ ସେ ଓହ୍ଲାଇ ନଥିଲେ। ପରେ ଦଶପଲ୍ଲା ପ୍ଳାଟଫର୍ମରେ ଟ୍ରେନ ଲାଗିବା ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଯାଇଥିଲେ। କିଛି ସମୟପରେ ଘଟଣା ଜଣାପଡ଼ିବା ପରେ ରେଲୱେ ପୋଲିସ କର୍ମଚାରୀ ଆସି ମହେଶ୍ୱରଙ୍କୁ ମୂମୁର୍ଷୁ ଅବସ୍ଥାରେ ଦେଖି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଟ୍ରେନରୁ ଉଦ୍ଧାର ବେଳେ ମହେଶ୍ବରଙ୍କ ହାତରେ ମୁଦି ନଥିଲା କି ମୋବାଇଲ ନଥିଲା ବୋଲି ଜଣାପଡିଛି। ଉକ୍ତ ଘଟଣା ପ୍ରଘଟ ହେବା ପରେ ପରିବାର ଓ ସହଯୋଗୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।