ଶ୍ରୀଜଗନ୍ନାଥ ନିକେତନରେ ‘ବାଳ-ମୁକୁନ୍ଦ କାନ୍ଥ ପତ୍ରିକା’ ଲୋକାର୍ପିତ ; ‘ପ୍ରତି ଶ୍ୱାସରେ ହରି ସ୍ମରଣ’ ଓ ରୂପଧ୍ୟାନ ସାଧନାର ଆହ୍ୱାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚମ ମୂଳ ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ପବିତ୍ର ମହାପ୍ରୟାଣ ଦିବସ ଅବସରରେ ରବିବାର ପାରଳାଖେମୁଣ୍ଡି ସହରସ୍ଥିତ ଐତିହାସିକ ପରିଚ୍ଛା ମଠ ଏବଂ ଗୋଷାଣୀ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ)ଠାରେ ଭକ୍ତିମୟ ଓ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି।
ଏହି ସ୍ମରଣୀୟ ଦିବସରେ ଉନ୍ମୋଚିତ ‘ବାଳ-ମୁକୁନ୍ଦ କାନ୍ଥ ପତ୍ରିକା’ ମାଧ୍ୟମରେ ମହାରାଜଜୀଙ୍କ ଦିବ୍ୟ ଜୀବନ ଦର୍ଶନ ତଥା ଚାରୋଟି ମୂଳ ଆଦର୍ଶ— ସମସ୍ତ ବେଦ , ଶାସ୍ତ୍ର ଓ ଶ୍ରୀମଦ୍ଭଗବଦ୍ ଗୀତାର ସରଳ ସମନ୍ୱୟ, ନିଃସ୍ୱାର୍ଥପର ଭକ୍ତି ଓ ‘ରୂପଧ୍ୟାନ’ ସାଧନା ଦ୍ୱାରା ଚଞ୍ଚଳ ମନକୁ ସଂଯତ କରିବାର ମାର୍ଗ , ବିଶ୍ୱସ୍ତରୀୟ ସେବା ଓ ଶିକ୍ଷା ପ୍ରକଳ୍ପ ଜରିଆରେ ମାନବ କଲ୍ୟାଣ ଏବଂ ଶିଶୁମାନଙ୍କ ହୃଦୟରୁ ଅହଂକାର ଦୂର କରି ପ୍ରେମ , ସେବା ଓ ଶୃଙ୍ଖଳା ଜାଗ୍ରତ କରିବାର ସନ୍ଦେଶ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମର ପ୍ରଥମ ଚରଣରେ ପ୍ରାତଃ ସମୟରୁ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାସ୍ତ୍ରୀୟ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହିତ ପରିଚ୍ଛା ମଠ ବିଜେ ଶ୍ରୀରସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢ଼ା ପରିକ୍ରମା ଓ ହରିନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରାତଃକାଳୀନ ଅଧ୍ୟାତ୍ମିକ ପର୍ବକୁ ସତ୍ୟନାରାୟଣ ଆପଟ୍ଟ , ମନ୍ଦିର ପରିଚାଳକ ମୁରଲୀଧର ପରିଚ୍ଛା ଏବଂ ବାସନ୍ତୀ ଚୌଧୁରୀ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଗୋଷାଣୀ ବ୍ଲକସ୍ଥିତ ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ) ପରିସରରେ ଏକ ବିଶେଷ ସଂସ୍କାର ସଭା ଓ ସତ୍ସଙ୍ଗ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂଜ୍ୟ ସନ୍ଥ ଶ୍ରୀ ମହନ୍ତ ରାମାନନ୍ଦ ଦାସ ଯୋଗଦେଇ ମହାରାଜଜୀଙ୍କ ମହାପ୍ରୟାଣ ଦିବସ ବିଶେଷାଙ୍କ ‘ବାଳ-ମୁକୁନ୍ଦ କାନ୍ଥ ପତ୍ରିକା’ର ଶୁଭ ଉନ୍ମୋଚନ କରିଥିଲେ। ସେ ଆଶ୍ରମର ଆନ୍ତେବାସୀ ବିଦ୍ୟାର୍ଥୀମାନଙ୍କୁ ମହାରାଜଜୀଙ୍କ ଦ୍ୱାରା ପ୍ରଦତ୍ତ ‘ରୂପଧ୍ୟାନ’ ସାଧନାର ଗୂଢ଼ ରହସ୍ୟ ବୁଝାଇବା ସହିତ ‘ପ୍ରତି ଶ୍ୱାସରେ ହରି ସ୍ମରଣ’ କରିବାର ଦିବ୍ୟ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ନିଃଶ୍ୱାସ ଓ ପ୍ରଶ୍ୱାସ ସହିତ ଭଗବାନଙ୍କ ନାମ ଓ ଦିବ୍ୟ ରୂପକୁ ହୃଦୟରେ ଧାରଣ କରି ରଖିଲେ ଚଞ୍ଚଳ ମନ ସ୍ଥିର ହୁଏ ଏବଂ ଛାତ୍ରଜୀବନରେ ଅଦ୍ଭୁତ ଏକାଗ୍ରତା , ଶାନ୍ତି ଓ ଚରିତ୍ରବତ୍ତା ଆସିଥାଏ।
ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଆଶ୍ରମର ପରିଚାଳକ , ସ୍ୱେଚ୍ଛାସେବୀ ଏବଂ ସମସ୍ତ ଆନ୍ତେବାସୀ ଶିଶୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।