ଚାରି ଦଫା ଦାବିରେ ବନ୍ଦ ଡାକରା; ବିଭିନ୍ନ ଅଞ୍ଚଳରେ ବୁଲି ଦୋକାନ ବଜାର ବନ୍ଦ ପାଇଁ ଅନୁରୋଧ
ବେଲଗୁଣ୍ଠା, ୮/୧୦: -(ଶିବରାମ ଚୌଧୁରୀ )-ଚାରି ଦଫା ଦାବି ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ବେଲଗୁଣ୍ଠା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ଏହି ବନ୍ଦ ଅବସରରେ ଇଣ୍ଡି ମେଣ୍ଟର ନେତା ଓ କର୍ମୀମାନେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଥିଲେ। ମେଣ୍ଟ ପକ୍ଷରୁ ଦାବିଗୁଡ଼ିକ ମଧ୍ୟରେ ଏମ୍ଏମ୍ଡିଆର୍ ଆଇନ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଅନ୍ୟତମ ଥିଲା।ବନ୍ଦ ଅବସରରେ ଭାରତୀୟ କଂଗ୍ରେସର ଏକ ଟିମ୍ କଣ୍ଟେଇପଲ୍ଲୀ, ବଡ଼ବୋରସିଂ, ଗାଙ୍ଗପୁର ଓ ଗୋବରାରେ ପହଞ୍ଚି ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପରେ ଷଡ଼ଙ୍ଗୀପଲ୍ଲୀ, ଇଙ୍ଗିନାଠି, ରତଙ୍ଗ ଓ ଡିମ୍ବିରିପଲ୍ଲୀ ଦେଇ ବେଲଗୁଣ୍ଠା ମୁଖ୍ୟ ସଡ଼କ, ଋଷିକୂଲ୍ୟା ବ୍ୟାଙ୍କ ଶାଖା, ଷ୍ଟେଟ୍ ବ୍ୟାଙ୍କ ଶାଖା, ଏନ୍ଏସି କାର୍ଯ୍ୟାଳୟ, ଜଗନ୍ନାଥପ୍ରସାଦ ରୋଡ୍, ବାଲିପଦର ରୋଡ୍, ବାଙ୍କ ବଜାର, ପେଣ୍ଠସାହି ଓ ବ୍ଲକ୍ କାର୍ଯ୍ୟାଳୟ ଅଞ୍ଚଳରେ ବନ୍ଦ ପାଇଁ ଅନୁରୋଧ କରିଥିଲେ।କଂଗ୍ରେସ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ପଶ୍ଚିମ ଗଞ୍ଜାମ ଚେୟାରମ୍ୟାନ୍ ବିନାୟକ ଗୌଡ଼, ଅନୀଲ କୁମାର ମଲ୍ଲିକ, ଯୁବ ସଂଗଠକ ସନ୍ତୋଷ କୁମାର ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ବନ୍ଦ ଯୋଗୁଁ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥିବା ଜଣାପଡ଼ିଛି।