ଅଗ୍ରସେନ ଭବନ ପାଇଁ ଜମି ଚିହ୍ନଟ କର, ସରକାରୀ ସହଯୋଗର ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ

10


ଝାରସୁଗୁଡ଼ା: ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳନ ଅବସରରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସନ୍ଧ୍ୟା ବୁଧବାର ସ୍ୱର୍ଣ୍ଣଭୂମି ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସଭାରେ ଅଗ୍ର ସମାଜ ପକ୍ଷରୁ ଅଗ୍ରସେନ ଭବନ ନିର୍ମାଣ ପାଇଁ ଉଠାଯାଇଥିବା ପ୍ରସ୍ତାବ ଉପରେ ମନ୍ତ୍ରୀ ପୂଜାରୀ ଆଲୋକପାତ କରିଥିଲେ। ସମାଜ ପକ୍ଷରୁ ଉପଯୁକ୍ତ ସ୍ଥାନ ଚୟନ କରି ଏନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଅଗ୍ରସେନ ଭବନ ନିର୍ମାଣରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ଜି.ଆର୍. ରାଘବେନ୍ଦ୍ର ଯୋଗଦେଇ ଘରୋଇ ହିଂସା ଓ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଦିଗରେ ସମାଜରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଅଗ୍ର ସମାଜର ବିଭିନ୍ନ ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ସମାଜର ବରିଷ୍ଠ ସଦସ୍ୟ ଯୁଗଳ କିଶୋର ସୁଲତାନିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଆୟୋଜନ କମିଟିର ସଂଯୋଜକ ନଭଲ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସମାଜର ୭୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଦିତି ଅଗ୍ରୱାଲ ଓ ସଞ୍ଜୟ ଲୋଧା ସଭା ପରିଚାଳନା କରିଥିଲେ।

ଆସନ୍ତା ୧୧ ଅକ୍ଟୋବର ଅପରାହ୍ନ ୩ଟା ୩୦ରେ ଅଗ୍ରସେନ ଛକରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରିବ। ସନ୍ଧ୍ୟାରେ ହେବାକୁ ଥିବା ମୁଖ୍ୟ ସମାରୋହରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ରାୟପୁର ସାଂସଦ ବ୍ରଜମୋହନ ଅଗ୍ରୱାଲ ପ୍ରମୁଖ ଯୋଗଦେବେ। ଏଥିରେ ବହୁ ସଂଖ୍ୟାରେ ଯୋଗଦେବାକୁ ସଂଯୋଜକ ନଭଲ ଅଗ୍ରୱାଲ ନିବେଦନ କରିଛନ୍ତି।

Leave A Reply

Your email address will not be published.