ସେବା ଜ୍ୟୋତି ପଦଯାତ୍ରାରେ ଝାରସୁଗୁଡ଼ାରେ ଜନସମାଗମ: ବିକଶିତ ଭାରତ ଗଠନ ପାଇଁ ସମୂହ ଉଦ୍ୟମର ଆହ୍ୱାନ

11


ଝାରସୁଗୁଡ଼ା, ୭/୧୦
: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଅନବରତ ଜନସେବା ଓ ରାଷ୍ଟ୍ରସେବାକୁ ସ୍ମରଣ କରିବା ସହ ତାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ଝାରସୁଗୁଡ଼ାରେ ବିଜେପି ପକ୍ଷରୁ ‘ସେବା ଜ୍ୟୋତି’ ପଦଯାତ୍ରା ଅନୁଷ୍ଠିତ ହୋଇଛି।

ସ୍ଥାନୀୟ ରେଳୱେ ଷ୍ଟେସନ ଦୁର୍ଗା ମନ୍ଦିର ପରିସରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମନମୋହନ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ, ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ।

ପଦଯାତ୍ରା ପରେ ମନମୋହନ ସ୍କୁଲ ପଡ଼ିଆରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଅନୁଷ୍ଠିତ ହୋଇଥିଲା। ସଭାରେ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶସେବା, ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ପ୍ରଧାନମନ୍ତ୍ରୀ ଦେଖିଥିବା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।

ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଦେଶସେବା ଓ ଦୃଢ଼ ନେତୃତ୍ୱ ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଦେଉଛି। ବିକଶିତ ଭାରତ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ନଭଲ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ସାମଲ ନାୟକ, ସଂଯୁକ୍ତା ଓରାମ, ବଳବିନ୍ଦର ସିଂଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀମାନେ ମଞ୍ଚାସୀନ ଥିଲେ। ସଭାରେ ବହୁ ସଂଖ୍ୟାରେ ଜନସାଧାରଣ ଓ ବିଜେପି କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.