ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହାର ସିଏସ୍ଆର୍ ବିଭାଗ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି ପଦକ୍ଷେପ ଅଧୀନରେ ପ୍ଲାଣ୍ଟ ନିକଟବର୍ତ୍ତୀ ୮ଟି ସରକାରୀ ଉଚ୍ଚ ବିଦ୍ୟାଳୟର ୬୧୨ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଉପକୃତ ହେବେ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକିରୀ ଠାରେ ହୋଇଥିବା ବେଳେ ବିଦ୍ୟାଳୟର ୨୩୦ ଜଣ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି।
ଆସନ୍ତା ଦୁଇ ଦିନ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ହାଡ଼ିଗୁଡ଼ା; ସରକାରୀ ଉଚ୍ଚ ବିଦ୍ୟାଳୟ, କୋଡ଼ିପାରି; ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ଗୋରଖପୁର; ଏସ୍ଏସ୍ଡି ହାଇସ୍କୁଲ, ଥୁଟିବର; ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ, ଡଙ୍ଗାସିଲ; ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଟିକିରି ଏବଂ ପଞ୍ଚାୟତ ହାଇସ୍କୁଲ, କୁଚେଇପଦର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ପେପର ବଣ୍ଟନ କରାଯିବ ।

ଏହି କାର୍ଯ୍ୟକ୍ରମରେ ସିଏସ୍ଆର୍ ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଶ୍ରୀ ଦିଗନ୍ତ ମହାନ୍ତି ଓ ଶ୍ରୀମତୀ ସତ୍ୟଭାମା ନାୟକଙ୍କ ସମେତ ଏସ୍ଏମ୍ସି ସଭାପତି ଶ୍ରୀ ସିଉ ମାଝୀ, ଟିକିରି ସରପଞ୍ଚ ଶ୍ରୀ ଜଗବନ୍ଧୁ ମାଝୀ ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।
ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଶ୍ରୀମତୀ ଲୋପାମୁଦ୍ରା ମିଶ୍ର କହିଥିଲେ ଯେ, ଶିକ୍ଷା ଅର୍ଜନ ସହିତ ଜୀବନରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ରହିବା ଅତ୍ୟନ୍ତ ଜରୁରୀ । ସେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଅଧ୍ୟୟନ କରିବା ସହିତ ଶୃଙ୍ଖଳିତ ଜୀବନଯାପନ ପାଇଁ ପରାମର୍ଶ ଦେଇଥିଲେ ।
ସେହିପରି, ଶ୍ରୀ ଦିଗନ୍ତ ମହାନ୍ତି ନିଜ ସମ୍ବୋଧନରେ ପାଠକୁ ସହଜରେ ମନେ ରଖିବା ଏବଂ ପରୀକ୍ଷା ପ୍ରସ୍ତୁତିକୁ ଅଧିକ ପ୍ରଭାବଶାଳୀ କରିବାର କିଛି ସରଳ ଉପାୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।
ବିଦ୍ୟାଳୟର ଶିକ୍ଷକ ଶ୍ରୀ ରଞ୍ଜିତ ମିଶ୍ର ଟେଷ୍ଟ ପେପର ଯୋଗାଣ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ବୋର୍ଡ ପରୀକ୍ଷା ପାଇଁ ଉତ୍ତମ ଭାବେ ପ୍ରସ୍ତୁତ ହୋଇପାରୁଛନ୍ତି ଏବଂ ଏହା ଫଳରେ ପରୀକ୍ଷାରେ ପାସ୍ ହାର ସହିତ ଅଧିକ ନମ୍ବର ହାସଲ କରିବାରେ ସହାୟତା ମିଳୁଛି, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥିସହିତ ସେ ଏହି ଶିକ୍ଷାମୂଳକ ପଦକ୍ଷେପ ପାଇଁ ଉତ୍କଳ ଆଲୁମିନା ସିଏସ୍ଆର୍ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣାଇଥିଲେ ।