ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ

8


୧୦ ବ୍ୟବସାୟୀଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା, ୫୫ କେଜି ଅନୁପଯୁକ୍ତ ଖାଦ୍ୟ ନଷ୍ଟ ।

କେନ୍ଦ୍ରାପଡ଼ା:୬/୧୦ (ପ୍ରଫୁଲ୍ଲ କୁମାର ମଲ୍ଲ) ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ଯାଞ୍ଚ ପାଇଁ କେନ୍ଦ୍ରାପଡ଼ା ସହରରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ସହରର ତିନିମୁହାଣୀଠାରୁ ଦୁହୁରିଆ ପର୍ଯ୍ୟନ୍ତ ବିଭିନ୍ନ ହୋଟେଲ, ଖାଦ୍ୟ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ବାସୀ ଓ ଅତ୍ୟଧିକ ରଙ୍ଗ ମିଶ୍ରିତ ଖାଦ୍ୟ ସମେତ ପ୍ରାୟ ୫୫ କେଜି ଅନୁପଯୁକ୍ତ ଖାଦ୍ୟ ଚିହ୍ନଟ କରାଯାଇ ନଷ୍ଟ କରାଯାଇଛି। ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ୧୦ ଜଣ ବ୍ୟବସାୟୀଙ୍କଠାରୁ ମୋଟ ୧୯,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ନମିତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଗୌରାଙ୍ଗ ଚରଣ ଗିରି, ଖାଦ୍ୟ ସୁରକ୍ଷା ଅଧିକାରୀ ଭରତ ଭୂଷଣ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଏଥିରେ ପୋଲିସ ଟିମ୍ ମଧ୍ୟ ସାମିଲ ହୋଇଥିଲା। ପାର୍ବଣ ସମୟରେ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଅନୁପଯୁକ୍ତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉକୁ ଜୋରଦାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷକରି ବିଭିନ୍ନ ଫୁଡ୍ ଷ୍ଟଲ୍, ହୋଟେଲ, ମିଠା ଦୋକାନ, ଗୁପଚୁପ ଓ ଅନ୍ୟାନ୍ୟ ଖାଦ୍ୟ ବିକ୍ରୟ କେନ୍ଦ୍ରରେ ନିୟମିତ ଯାଞ୍ଚ କରାଯିବ। ଖାଦ୍ୟ ବ୍ୟବସାୟୀ ମାନେ ଖାଦ୍ୟର ଗୁଣବତ୍ତା, ପରିଚ୍ଛନ୍ନତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜନସାଧାରଣ ମଧ୍ୟ ଖାଦ୍ୟ କିଣିବା ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.