ଦାବି ପୂରଣ ନହେଲେ ତହସିଲ କାର୍ଯ୍ୟାଳୟ ଘେରାଉ କରିବେ ଗ୍ରାମବାସୀ।
ବସ୍ତା ୨୨/୧୧ : ଦୀର୍ଘ ଏକ ବର୍ଷ ଧରି ଜମି କିଣାବିକା ହୋଇପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି। ଏନେଇ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ତହସିଲଦାର କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ନିଜର ଦାବି ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।ବସ୍ତା ତହସିଲ ଅଧୀନ ଦରଡ଼ା ପଞ୍ଚାୟତର ଦରଡ଼ା, ଏକଡାଳିଆ ଓ ଅନ୍ୟାନ୍ୟ ଗ୍ରାମରେ ଦୀର୍ଘଦିନ ଧରି ଜମି କିଣାବିକା ବନ୍ଦ ରହିଥିବାରୁ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଜ ନାମରେ ଥିବା ଜମି ବିକ୍ରି କରି ରୋଗର ଚିକିତ୍ସା, ଝିଅଙ୍କ ବିବାହ, ପିଲାଙ୍କ ଉଚ୍ଚଶିକ୍ଷା ଭଳି ଜରୁରୀ ଆବଶ୍ୟକତା ପୂରଣ କରିବାକୁ ଚାହୁଁଥିଲେ ମଧ୍ୟ ଲୋକେ ଅସହାୟ ହୋଇପଡ଼ିଥିବା କହିଛନ୍ତି।ଏହି ସମସ୍ୟା ସମ୍ପର୍କରେ ବସ୍ତା ବିଧାୟକ, ବାଲେଶ୍ୱର ସାଂସଦ, ବସ୍ତା ତହସିଲଦାର, ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ୱ ମନ୍ତ୍ରୀଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଅବଗତ କରାଯାଇଥିବା ସେମାନେ କହିଛନ୍ତି। ଏପରିକି ବିଭିନ୍ନ ସ୍ତରରୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାଏଁ ତାହାର କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଗ୍ରାମବାସୀ ଏବେ ଆନ୍ଦୋଳନର ପଥ ଆପଣାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଆଉ କେତେଦିନ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିବୁ ବୋଲି ପ୍ରଶ୍ନ ଉଠାଇ, ଶୀଘ୍ର ସମାଧାନ ନହେଲେ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ଏହି ଦାବିକୁ ନେଇ ପ୍ରଶାସନ କେବେ ପଦକ୍ଷେପ ନେବ ଏବଂ ଦୀର୍ଘଦିନର ଜମି କିଣାବିକା ସମସ୍ୟାର ସମାଧାନ କେବେ ହେବ, ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅପେକ୍ଷା ଓ ଅସନ୍ତୋଷ ରହିଛି। ଆଜିର ସାମ୍ବାଦିକ ସମ୍ମିଳନୀ ରେ ପ୍ରଭାସ ମଣ୍ଡଳ, ପ୍ରଶାନ୍ତ ସେଠି, ସଂଜୀବ କୁମାର ବିଶ୍ୱାଳ, ଜୟନ୍ତ ମହାପାତ୍ର, ସୁଜିତ ସାମନ୍ତ, ଅବଦୁଲ ଦୂସମାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।