ବାଲେଶ୍ୱର, ୪ ଅକ୍ଟୋବର ୨୦୨୬: ଉତ୍ତର ଓଡ଼ିଶାରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ବଡ଼ ଆକାରର ପୂଜା ମଣ୍ଡପ, ଆଲୋକସଜ୍ଜା ଓ ଅନ୍ୟାନ୍ୟ ଉତ୍ସବୀୟ କାର୍ଯ୍ୟକ୍ରମର ଆୟୋଜନ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପୂଜା ମଣ୍ଡପଗୁଡ଼ିକରେ ବଢ଼ୁଥିବା ବିଦ୍ୟୁତ୍ ଆବଶ୍ୟକତା ଏବଂ ଅସ୍ଥାୟୀ ବିଦ୍ୟୁତ୍ ବ୍ୟବସ୍ଥାର ବ୍ୟବହାରକୁ ଦୃଷ୍ଟିରେ ରଖି, ଟିପିଏନଓଡିଏଲ୍ ପକ୍ଷରୁ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ଟିମ୍ଗୁଡ଼ିକ ସହ ସମନ୍ୱୟ ରଖି ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପ୍ରଦାନ ସହିତ ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ପାଇଁ ପରାମର୍ଶ ଜାରି କରାଯାଇଛି।
ପୂଜା କମିଟିଗୁଡ଼ିକୁ ନିଜର ପ୍ରକୃତ ବିଦ୍ୟୁତ୍ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟାରେ ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇଁ ଆଗୁଆ ଆବେଦନ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କିତ ସହାୟତା ପାଇଁ ଟିପିଏନଓଡିଏଲ୍ର ୧୯୧୨ / ୧୮୦୦-୩୪୫୬-୭୧୮ ନମ୍ବରରେ ଗ୍ରାହକ ସେବା କେନ୍ଦ୍ର ସହ ଯୋଗାଯୋଗ କରିବା, ଟିପିଏନଓଡିଏଲ୍ର ୱେବସାଇଟ୍ କିମ୍ବା ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିସହିତ, ଅନୁମୋଦନବିହୀନ ବିଦ୍ୟୁତ୍ ସଂଯୋଗ, ଅତ୍ୟଧିକ ଲୋଡ୍ ବ୍ୟବହାର କିମ୍ବା ବିଦ୍ୟୁତ୍ ବ୍ୟବସ୍ଥାରେ କୌଣସି ଅନଧିକୃତ ପରିବର୍ତ୍ତନ ନକରିବାକୁ ଆୟୋଜକମାନଙ୍କୁ ଅନୁରୋଧ କରାଯାଇଛି।
ଏହି ଅବସରରେ ଟିପିଏନଓଡିଏଲ୍ର ସିଇଓ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ଦୁର୍ଗାପୂଜା ପରିବାର ଓ ସମାଜକୁ ଏକାଠି କରୁଥିବା ଏକ ମହତ୍ୱପୂର୍ଣ୍ଣ ପର୍ବ। ଏହି ଉତ୍ସବ ଯେପରି ସୁରକ୍ଷିତ ଓ ନିରବଚ୍ଛିନ୍ନ ଭାବେ ପାଳିତ ହୁଏ, ତାହା ନିଶ୍ଚିତ କରିବା ଆମର ପ୍ରାଥମିକତା। ପୂଜା ମଣ୍ଡପରେ ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନେବା ସହିତ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଏବଂ ଉପଯୁକ୍ତ ସତର୍କତା ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯିବା ନିତାନ୍ତ ଆବଶ୍ୟକ। ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ଆମେ ପୂଜା ଆୟୋଜକ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟରେ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛୁ।”
ପୂଜା କମିଟିଗୁଡ଼ିକୁ ବିଦ୍ୟୁତ୍ ବ୍ୟବସ୍ଥାର ସ୍ଥାପନା ଓ ରକ୍ଷଣାବେକ୍ଷଣ ପାଇଁ ଯୋଗ୍ୟ ଓ ଅଭିଜ୍ଞ ବିଦ୍ୟୁତ୍ କର୍ମଚାରୀଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ତାରଗୁଡ଼ିକର ଉପଯୁକ୍ତ ଇନ୍ସୁଲେସନ୍ ଓ ସୁରକ୍ଷିତ ବ୍ୟବସ୍ଥା କରିବା ସହ ବିଦ୍ୟୁତ୍ ଉପକରଣକୁ ପାଣି ଓ ଅନ୍ୟାନ୍ୟ ବିପଦ ସମ୍ଭାବନା ଥିବା ସ୍ଥାନଠାରୁ ଦୂରରେ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା ମଣ୍ଡପକୁ ଓଭରହେଡ୍ ବିଦ୍ୟୁତ୍ ତାର ଓ ଅନ୍ୟାନ୍ୟ ବିଦ୍ୟୁତ୍ ଭିତ୍ତିଭୂମିଠାରୁ ନିରାପଦ ଦୂରତାରେ ନିର୍ମାଣ କରିବାକୁ ମଧ୍ୟ କୁହାଯାଇଛି। ଉତ୍ସବ ସମୟରେ ନିୟମିତ ଭାବେ ବିଦ୍ୟୁତ୍ ବ୍ୟବସ୍ଥା ଯାଞ୍ଚ କରିବା ସହିତ ପୂଜା ମଣ୍ଡପ ପରିସରରେ ଅଗ୍ନି ନିର୍ବାପକ ଯନ୍ତ୍ର, ଜରୁରୀକାଳୀନ ସେବା ପାଇଁ ପର୍ଯ୍ୟାପ୍ତ ପ୍ରବେଶ ପଥ ଏବଂ ଆବଶ୍ୟକ ସୁରକ୍ଷିତ ନିର୍ଗମ ବ୍ୟବସ୍ଥା ରଖିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ଗ୍ରାହକ ଓ ପୂଜା ମଣ୍ଡପକୁ ଆସୁଥିବା ଲୋକମାନଙ୍କୁ କ୍ଷତିଗ୍ରସ୍ତ, ଖୋଲା କିମ୍ବା ସ୍ପାର୍କିଂ ହେଉଥିବା ବିଦ୍ୟୁତ୍ ତାର ଓ ଉପକରଣକୁ ନଛୁଇଁବାକୁ ପରାମର୍ଶ ଦିଆଯାଇଛି। ଏଭଳି କୌଣସି ବିପଜ୍ଜନକ ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ଟିପିଏନଓଡିଏଲ୍ର କଲ୍ ସେଣ୍ଟର ୧୯୧୨ / ୧୮୦୦-୩୪୫୬-୭୧୮ ନମ୍ବରରେ କିମ୍ବା ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟରେ ଜଣାଇବାକୁ କୁହାଯାଇଛି।
କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଟିପିଏନଓଡିଏଲ୍ ଉତ୍ତର ଓଡ଼ିଶାରେ ନିରାପଦ, ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ପ୍ରତିବଦ୍ଧ। ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ଅଂଶୀଦାରଙ୍କ ସହ ନିରନ୍ତର ସମନ୍ୱୟ ମାଧ୍ୟମରେ ଉତ୍ତର ଓଡ଼ିଶାର ଅଞ୍ଚଳବାସୀ ଯେପରି ସୁରକ୍ଷିତ ଓ ଦାୟିତ୍ୱଶୀଳ ଭାବେ ଦୁର୍ଗାପୂଜା ପାଳନ କରିପାରିବେ, ସେଥିପାଇଁ ଟିପିଏନଓଡିଏଲ୍ ନିରନ୍ତର କାର୍ଯ୍ୟ ଜାରି ରଖିଛି।