ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

13

ଶ୍ରେଷ୍ଠ ଦଳ ଭାବେ ପିଏମ୍‌ଶ୍ରୀ କେ.ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଟିଇ ଏଣ୍ଡ୍ ଏସ୍‌ସିଇଆର୍‌ଟି , ଓଡ଼ିଶା , ଭୁବନେଶ୍ୱରଙ୍କ ପ୍ରାୟୋଜନାରେ ଏବଂ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ୨୦୨୬ ମସିହାର ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ପିଏମ୍‌ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଚୟନିତ ଶ୍ରେଷ୍ଠ ୯ଟି ବିଜ୍ଞାନ ନାଟକ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜ୍ଞାନ , ପରିବେଶ , ପ୍ରଯୁକ୍ତି ଓ ସାମାଜିକ ସଚେତନତା ସମ୍ପର୍କିତ ବିଭିନ୍ନ ବିଷୟକୁ ନାଟକ ମାଧ୍ୟମରେ ଉପସ୍ଥାପନ କରିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ଡଃ ମାୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା , ବୈଜ୍ଞାନିକ ଚିନ୍ତନ ଓ ଅଭିନୟ ପ୍ରତିଭାକୁ ପ୍ରଶଂସା କରିଥିଲେ।
ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଶ୍ରୀ ମନୋଜ ପାଢ଼ୀ , ପୂର୍ବତନ ଡି ଏସ ଏସ , ଗଜପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇଥିଲେ।
ପ୍ରତିଯୋଗିତାରେ ପିଏମ୍‌ଶ୍ରୀ କେ.ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟ ‘ଏ ଆଇ’ ବିଷୟବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ କରି ଶ୍ରେଷ୍ଠ ନାଟକ ଦଳ ଭାବେ ଚୟନିତ ହୋଇଛି। ଏହି ନାଟକର ନିର୍ଦ୍ଦେଶନା ପାଇଁ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ପାଇଛନ୍ତି କେ.ଏମ୍. ଭାଲିଆସାହି ଦଳର ନିର୍ଦ୍ଦେଶକ।
ଶ୍ରେଷ୍ଠ ଅଭିନେତା ଭାବେ ପିଏମ୍‌ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ବି. ତେଜା ବାବୁ ‘ବିପନ୍ନ ସମୁଦ୍ର’ର ଭୂମିକାରେ ଅଭିନୟ କରି ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ନାଟ୍ୟକାର ଭାବେ ପିଏମ୍‌ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଶ୍ରୀମତୀ ସୁଲତା ସୁଭଦର୍ଶିନୀ ‘ନୀଳ ସ୍ୱପ୍ନ’ ନାମକ ସମୁଦ୍ର ଓ ପ୍ଲାଷ୍ଟିକ ପ୍ରଦୂଷଣ ଆଧାରିତ ବିଜ୍ଞାନ ନାଟକ ପାଇଁ ଶ୍ରେଷ୍ଠ ନାଟ୍ୟକାର ଭାବେ ଚୟନିତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପିଏମ୍‌ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ସଞ୍ଚିତା ସାହୁ ଚୟନିତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମକୁ ପିଏମ୍‌ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମନ୍ୱିତ ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାଶ , ବରିଷ୍ଠ ଶିକ୍ଷକ ଶ୍ରୀ ଏମ୍. ସତ୍ୟନାରାୟଣ ଓ ଡି ଏସ୍ ଏସ୍ , ଗଜପତି ଶ୍ରୀ ୱାଇ.କ୍ରିଷ୍ଣା ରାଓଙ୍କ ସହଯୋଗ ଓ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଜିଲ୍ଲାସ୍ତରରେ ଚୟନିତ ଶ୍ରେଷ୍ଠ ଦଳ ଏବେ ବୌଦ୍ଧଠାରେ ଅନୁଷ୍ଠିତ ହେବାକୁଥିବା ଜୋନାଲ୍ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ୱ କରିବ।

Leave A Reply

Your email address will not be published.