ଦଳିତ ସମାଜ କଲ୍ୟାଣ ପରିଷଦରଗାଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ତୃତୀୟ ବାର୍ଷିକ ଉତ୍ସବ

10

ଦଳିତ ସମାଜର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ଆଲୋଚନା

ବେଲଗୁଣ୍ଠା , ୨/୧୦:-(ଶିବରାମ ଚୌଧୁରୀ )-ଅଲ୍‌ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବ୍ଲକ୍‌ ଗାଙ୍ଗପୁରଠାରେ ଅନୁଷ୍ଠିତ ହୋଇଛି। ଚିନ୍ତାମଣି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ବିଶିଷ୍ଟ ଆଇନଜୀବୀ ବନମାଳୀ ସେଠୀ ଉଦ୍‌ଘାଟନ କରିଥିଲେ। ଛତିଶଗଡ଼ ରାଜ୍ୟ ଦଳିତ ସମାଜ ସଭାପତି ଧୃବୀ ସୋନୀ ମୁଖ୍ୟ ଅତିଥି ଏବଂ ଓଡ଼ିଶା ରାଜ୍ୟ ଦଳିତ ସମାଜ ସଭାପତି ଗୋପୀନାଥ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ଦଳିତ ସମାଜ ସଭାପତି ମନୋରଞ୍ଜନ ନିମାଇଁ, ବ୍ରହ୍ମପୁର ବାର୍‌ ଆସୋସିଏସନ୍‌ ସଦସ୍ୟ ପ୍ରଶାନ୍ତ ନାୟକ, ଘୁମୁସର ତାଲୁକା ଦଳିତ ସମାଜ ସଭାପତି ପଞ୍ଚାନନ ନାୟକ, ପାଇଲିପଡ଼ା ମୁଠା ଦଳିତ ସମାଜ ସଭାପତି ପବିତ୍ର ନାୟକ ଓ ସମାଜସେବୀ ଅନୀଲ ନାୟକ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। ସୁଧୀର ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରବୀଣ ନାୟକ ଓ କଙ୍ଗରୁ ନାୟକ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ବୈଠକରେ ଦଳିତ ସମାଜର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଦାବି ଆକାରରେ ଉପସ୍ଥାପନ କରିବା ପାଇଁ ସଭାରେ ମତପ୍ରକାଶ ପାଇଥିଲା। ଦଳିତ ଯୁବକଯୁବତୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ମାଗଣା ଶିକ୍ଷାଦାନ ସୁଯୋଗ, ଗୃହହୀନ ଓ ଜମିହୀନଙ୍କୁ ସ୍ଥାୟୀ ପଟ୍ଟା, ଯୋଗ୍ୟତା ଅନୁଯାୟୀ ବେକାର ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତି ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନେଇ ଦାବି ଉଠିଥିଲା। ଏଥିସହ ଦଳିତ ସମାଜକୁ ନେଇ କୁତ୍ସିତ ସଂଳାପ ଓ ଆପତ୍ତିଜନକ ନୃତ୍ୟ ପରିବେଷଣ କରୁଥିବା ଲୋକନୃତ୍ୟ/ନାଟ୍ୟ ସଂସ୍ଥା ଗୁଡ଼ିକର ସରକାରୀ ସ୍ୱୀକୃତି ପ୍ରତ୍ୟାହାର ଏବଂ ସମ୍ପୃକ୍ତ କଳାକାରଙ୍କ ଭତ୍ତା ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖାଯିବାକୁ ସ୍ଥିର ହୋଇଥିଲା। ଶେଷରେ ଘୁମୁସର ସଭାପତି ପଞ୍ଚାନନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.