ସିଆରପିଏଫରୁ ସେବାନିବୃତ୍ତ ରମେଶଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

14


ଓଡ଼ଗାଁ, ୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମର ରମେଶ ଚନ୍ଦ୍ର ରଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ)ରୁ ୩୭ ବର୍ଷରୁ ଊର୍ଦ୍ଧ୍ୱ ଦୀର୍ଘ ସେବା ପରେ ସେପ୍ଟେମ୍ବର ୩୦ ତାରିଖରେ ସେବାନିବୃତ୍ତ ହୋଇଛନ୍ତି। ସେବାନିବୃତ୍ତି ପରେ କର୍ମଭୂମିରୁ ଜନ୍ମଭୂମିକୁ ଫେରିଥିବା ରମେଶଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ରମେଶ ପଞ୍ଜାବ, କାଶ୍ମୀର, ଝାଡ଼ଖଣ୍ଡ ଓ ମଣିପୁର ଭଳି ବିଭିନ୍ନ ରାଜ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ନିର୍ବାହ କରି ଦୀର୍ଘ ୩୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶମାତୃକାର ସେବା କରିଥିଲେ। ନିଜ ରାଜ୍ୟ ଓଡ଼ିଶାର ସମ୍ବଲପୁରସ୍ଥିତ ସିଆରପିଏଫ ଗ୍ରୁପ୍ ସେଣ୍ଟରରେ ଶେଷ ଦୁଇ ବର୍ଷ ଯୋଗାଯୋଗ ବିଭାଗରେ ରେଡିଓ ଅପରେଟର ଅଧସ୍ତନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଶୁକ୍ରବାର ଅପରାହ୍ନରେ ରମେଶ ନିଜ ଗାଁରେ ପହଞ୍ଚିବା ପରେ ଜନ୍ମମାଟିକୁ ମଥାରେ ଲଗାଇ ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡ ସିଦ୍ଧେଶ୍ୱରୀ ଠାକୁରାଣୀ ମନ୍ଦିର ନିକଟରୁ ଗ୍ରାମବାସୀମାନେ ତାଙ୍କୁ ସାଥିରେ ନେଇ ଘର ପର୍ଯ୍ୟନ୍ତ ଆସିଥିଲେ। ଏହି ଅବସରରେ ସେ ନୀଳକଣ୍ଠେଶ୍ୱର ମହାଦେବ, ଚନ୍ଦ୍ରଶେଖରଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ଦର୍ଶନ କରିଥିଲେ। ଦୀର୍ଘ ଦଶନ୍ଧି ଧରି ଦେଶ ସେବାରେ ନିଜକୁ ଉତ୍ସର୍ଗ କରି କାର୍ଯ୍ୟକାଳ ଶେଷରେ ସୁସ୍ଥ ଶରୀରରେ ନିଜ ଜନ୍ମମାଟିକୁ ଫେରିଥିବାରୁ ରମେଶ ଭାବପ୍ରବଣ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କ ଭଲପାଇବା ଓ ସ୍ୱାଗତରେ ସେ ଅଭିଭୂତ ହୋଇ ନିଜ ଗାଁ ଓ ଗ୍ରାମବାସୀଙ୍କ ପ୍ରତି ଥିବା ଗଭୀର ଆତ୍ମୀୟତା ପ୍ରକାଶ କରିଥିଲେ।

Leave A Reply

Your email address will not be published.