୪ ଦିନ ହେଲା ହାତୀପଲଙ୍କ ଉପଦ୍ରବ, ବିଦ୍ୟୁତ୍ ସେବା ବିଚ୍ଛିନ୍ନ,

17


କବାଟ ଭାଙ୍ଗି ଭାତହାଣ୍ଡି ଟାଣିନେଲା ହାତୀ, ଅଳ୍ପକେ ବର୍ତ୍ତିଲେ ୬ ଜଣ

ଓଡ଼ଗାଁ, ୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କେନାଲ ଛକରୁ ବୁଢ଼ାବୁଢ଼ିଆଣୀ ଡ୍ୟାମ୍‌କୁ ଯାଇଥିବା ରାସ୍ତାର ନୂଆବନ୍ଧସାହି କେନାଲ ପଶ୍ଚିମ ପାର୍ଶ୍ୱରେ ଗତ ୪ ଦିନ ଧରି ହାତୀପଲଙ୍କ ଉପଦ୍ରବ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି। ହାତୀଙ୍କ ଆତଙ୍କ ଯୋଗୁଁ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ବିଦ୍ୟୁତ୍ ସେବା ମଧ୍ୟ ବିଚ୍ଛିନ୍ନ ହୋଇପଡ଼ିଛି। ହାତୀପଲଙ୍କ ଉପଦ୍ରବରେ ଘରଦ୍ୱାର ଓ ଫସଲ ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି। ଗୁରୁବାର ହାତୀପଲ ଗୋଟିଏ ପରିବାରର ଚାଳଛପର ଘର ଭାଙ୍ଗିବା ସହ ପକ୍କାଘରର କବାଟ ଭାଙ୍ଗି ଭିତରେ ପଶିଥିଲେ। ଘରେ ଥିବା ଭାତହାଣ୍ଡିକୁ ଶୁଣ୍ଢରେ ଟାଣି ନେବା ସହ ଅନ୍ୟ ଖାଦ୍ୟ ସାମଗ୍ରୀ ଏଣେତେଣେ ଫୋପାଡ଼ି ଦେଇଥିଲେ। ଏହି ସମୟରେ ଘର ଭିତରେ ଥିବା ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଓ ଦୁଇ ଜଣ ଶିଶୁଙ୍କ ସମେତ ୬ ଜଣ ହାତୀର ଶୁଣ୍ଢଠାରୁ ମାତ୍ର ଦୁଇ ଫୁଟ ଦୂରରେ ଏକ କୋଣରେ ଆଶ୍ରୟ ନେଇଥିଲେ। ଭୟଭୀତ ଅବସ୍ଥାରେ ଥିବା ପରିବାର ସଦସ୍ୟଙ୍କ ପାଇଁ ଏହା ଏକ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା। ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ସମେତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ହାତୀପଲଙ୍କୁ ଘଉଡ଼ାଇଥିଲେ। ପରେ ଘର ଭିତରେ ଫସି ରହିଥିବା ସମସ୍ତ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ, ହାତୀପଲଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ବନ୍ୟପ୍ରାଣୀ ବିଭାଗ ଡ୍ରୋନ୍‌ ମାଧ୍ୟମରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି। ହାତୀପଲ ଦିନବେଳେ ମୁଣ୍ଡିଆ ଉପରେ ରହୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟାରେ ତଳକୁ ଆସୁଛନ୍ତି ଏବଂ ସକାଳ ୬ଟାରୁ ସାଢ଼େ ୬ଟା ମଧ୍ୟରେ ପୁଣି ଫେରିଯାଉଛନ୍ତି। ହାତୀପଲଙ୍କ ଏହି ନିୟମିତ ଚଳପ୍ରଚଳ ଯୋଗୁଁ ବନ ବିଭାଗ କର୍ମଚାରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ହାତୀପଲ ଯେଉଁ ଆଡ଼କୁ ଯାଉଛନ୍ତି, ସେଠାରେ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ବର୍ଷକର କଠିନ ପରିଶ୍ରମରେ ଅମଳ ହେବାକୁ ଥିବା ଫସଲ ମୁହୂର୍ତ୍ତକ ମଧ୍ୟରେ ନଷ୍ଟ ହୋଇଯାଉଛି। ଏପରିକି କ୍ଷୟକ୍ଷତି ତୁଳନାରେ ମିଳୁଥିବା କ୍ଷତିପୂରଣ ଅତ୍ୟନ୍ତ ନଗଣ୍ୟ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଚାରି ଦିନ ଧରି ହାତୀପଲଙ୍କ ଆତଙ୍କ, ବିଦ୍ୟୁତ୍ ବିଭ୍ରାଟ ଓ ଫସଲ କ୍ଷୟକ୍ଷତିକୁ ନେଇ ଅଞ୍ଚଳବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିବାକୁ ବସିଲାଣି। ଏହି ହାତୀ-ମଣିଷ ସଂଘର୍ଷର ପ୍ରମୁଖ କାରଣ ଭାବେ ଜଙ୍ଗଲ ଅଞ୍ଚଳରେ ଖାଦ୍ୟ ଓ ଜଳର ଅଭାବ ସହ ସୁରକ୍ଷିତ ଆଶ୍ରୟସ୍ଥଳୀର ସଂକୋଚନକୁ ପରିବେଶବିତ୍‌ମାନେ ଦେଖୁଛନ୍ତି। ଜଙ୍ଗଲ ଓ ମୁଣ୍ଡିଆ ତଳି ଅଞ୍ଚଳରେ ମାନବୀୟ ହସ୍ତକ୍ଷେପ ଏବଂ ଘରଦ୍ୱାରର ସମ୍ପ୍ରସାରଣ ଯୋଗୁଁ ବନ୍ୟପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥଳୀ ପ୍ରଭାବିତ ହେଉଥିବା ମତ ପ୍ରକାଶ ପାଇଛି। ଫଳରେ ହାତୀଙ୍କ ସମେତ ମାଙ୍କଡ଼, ହରିଣ, ବାର୍‌ହା ଓ ସମ୍ବର ଭଳି ବନ୍ୟପ୍ରାଣୀ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ହାତୀ-ମଣିଷ ସଂଘର୍ଷ ରୋକିବା, ଜନଜୀବନ ଓ ଫସଲର ସୁରକ୍ଷା, ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଚାଷୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଜଙ୍ଗଲ ତଳି ଅଞ୍ଚଳର ସୁରକ୍ଷା, ବନ୍ୟପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ଜଳର ବ୍ୟବସ୍ଥା ଏବଂ ସେମାନଙ୍କ ସ୍ୱାଭାବିକ ବିଚରଣ ପଥର ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନରେ ସହାୟତା ମିଳିପାରିବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

Leave A Reply

Your email address will not be published.