‘ଏକ ଦିନ, ଏକ ଘଣ୍ଟା, ଏକ ସାଥ’ କାର୍ଯ୍ୟକ୍ରମ
ଓଡ଼ଗାଁ, ୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପ୍ରଥମେ ଗାନ୍ଧୀଜୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ଅଳିଆମୁକ୍ତ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ। ଏହି ଅବସରରେ ଗତ ଗୁରୁବାର ଦିନ ୱାର୍ଡ ନଂ-୭ସ୍ଥିତ ବସଷ୍ଟାଣ୍ଡ ଓ ପନିପରିବା ବଜାର ଅଞ୍ଚଳ ସମେତ ବାବା ଦ୍ୱିତୀକେଶ୍ୱରଙ୍କ ପୀଠରେ ସାମୂହିକ ସଫେଇ କାର୍ଯ୍ୟ କରାଯାଇଥିଲା। ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଆଇଆଇସି ସତ୍ୟନାରାୟଣ ବାରିକ, ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସମେତ କର୍ମଚାରୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛକର୍ମୀ, ସଫେଇ କର୍ମଚାରୀ, ସୁପରଭାଇଜର, ବରିଷ୍ଠ ନାଗରିକ, ଏନଜିଓ ଓ ପରିମଳ ଦଳର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ପରେ ସ୍ୱଚ୍ଛତା ସଚେତନତାର ବାର୍ତ୍ତା ନେଇ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ସ୍ୱଚ୍ଛତା ଅଭିଯାନ ପରେ ବିଭିନ୍ନ ଦୋକାନୀ ଓ ଅନୁଷ୍ଠାନ ଉପରେ ଏନଏସି ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଏବଂ ଟ୍ରେଡ୍ ଲାଇସେନ୍ସ ନଥିବା ଅଭିଯୋଗରେ ମୋଟ ୮,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସ୍ୱଚ୍ଛ ଓଡ଼ଗାଁ ଗଠନ ସହ ପ୍ଲାଷ୍ଟିକମୁକ୍ତ ପରିବେଶ ପାଇଁ ଏନଏସିର ଏହି ଅଭିଯାନକୁ ସାଧାରଣରେ ପ୍ରଶଂସା କରାଯାଇଛି।