ଡିଏଭିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

10

ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଅନୁସରଣ ପାଇଁ ଆହ୍ୱାନ

ଝାରସୁଗୁଡ଼ା, ୦୨/୧୦/୨୦୨୬: ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦେବତା ସ୍ୱାଗତ ଭାଷଣ ପ୍ରଦାନ କରି ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସେବା, ସହଯୋଗ, ସଂସ୍କାର ଓ ଶୃଙ୍ଖଳାକୁ ଜୀବନରେ ଆପଣେଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ବିଦ୍ୟାଳୟର ଶିଶୁ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ ଓ ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ର ବେଶ ଧାରଣ କରି ଉତ୍ସବକୁ ଆକର୍ଷଣୀୟ କରିଥିଲେ। ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ପରିବେଷଣ, ବିଭିନ୍ନ ସ୍ଲୋଗାନ ଓ ଦେଶର ଦୁଇ ମହାନ ବରପୁତ୍ରଙ୍କ ସ୍ମୃତିଚାରଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ବିଦ୍ୟାଳୟର ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅଂଶଗ୍ରହଣରେ ବିଦ୍ୟାଳୟ ପରିସରରୁ ବେଦାନ୍ତ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା।

ରାଲି ମାଧ୍ୟମରେ ସତ୍ୟ, ଅହିଂସା, ଦେଶପ୍ରେମ, ଏକତା ଓ ଶୃଙ୍ଖଳାର ବାର୍ତ୍ତା ପ୍ରଚାର କରାଯାଇଥିଲା। ପରେ ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବଧିର ଓ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରକୁ ଯାଇ ସେଠାକାର ଛାତ୍ରଛାତ୍ରୀଙ୍କ ସହ ମିଶି ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ପରିବେଷଣ କରି ସମାରୋହକୁ ଆନନ୍ଦମୟ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.