ସରକାରଙ୍କ ସହଯୋଗରେ ୬ ମାସିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଦକ୍ଷତା ବିକାଶ ଓ ଜୀବିକା ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଆଦିତ୍ୟ ଆଲୁମିନା ରେଫାଇନାରୀ, କଂସାରିଗୁଡ଼ାର ‘ଜୀବିକା ଜ୍ୟୋତି’ ପ୍ରକଳ୍ପ ଅଧୀନରେ ସୌରା ଆର୍ଟ ଉପରେ ୬ ମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।
ଆଦିତ୍ୟ ଆଲୁମିନାର ଜୀବିକା ଜ୍ୟୋତି ପ୍ରକଳ୍ପରେ ୧୫ ଜଣ ମହିଳାଙ୍କୁ ସୌରା ଆର୍ଟରେ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଦିଆଯିବ। ଆଦିତ୍ୟ ଆଲୁମିନା ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ୬ ମାସିଆ ପ୍ରଶିକ୍ଷଣ ଆୟୋଜିତ ହୋଇଛି।
ଅକ୍ଟୋବର ୧ ତାରିଖରେ ଜିଲ୍ଲା ହସ୍ତଶିଳ୍ପ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ଉଲ୍ଲାସ ଚନ୍ଦ୍ର, ଆଦିତ୍ୟ ଆଲୁମିନା ରେଫାଇନାରୀର ସିଏସ୍ଆର ବିଭାଗର କର୍ମଚାରୀ ଏବଂ ଆଶା ଏନ୍ଜିଓର କର୍ମଚାରୀଙ୍କ ଉପସ୍ଥିତିରେ ପ୍ରଶିକ୍ଷଣର ଶୁଭାରମ୍ଭ କରାଯାଇଥିଲା।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ସଚିବ ଗୁହା ପୁନମ ତାପସ କୁମାରଙ୍କ ମାର୍ଗଦର୍ଶନ ଏବଂ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶ୍ରୀ ରବି ଗମାଙ୍ଗ ପ୍ରଶିକ୍ଷକ ଭାବେ ୬ ମାସ ଧରି ମହିଳାମାନଙ୍କୁ ସୌରା ଆର୍ଟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବେ।
ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ଏବଂ ପାରମ୍ପରିକ ସୌରା କଳାର ସୁରକ୍ଷା ଓ ପ୍ରଚାର-ପ୍ରସାରକୁ ପ୍ରୋତ୍ସାହନ ଦେବା ଦିଗରେ ଆଦିତ୍ୟ ଆଲୁମିନାର ଏହି ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ସିଏସ୍ଆର ପଦକ୍ଷେପ ବୋଲି କୁହାଯାଉଛି।