ରୋକିବ କିଏ, ପ୍ରଶାସନିକ ତତ୍ପରତା ଦାବି
ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ବର୍ତ୍ତମାନ ସମୟରେ ଡିଜେ ସାଉଣ୍ଡର ଅତ୍ୟଧିକ ଶବ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିଚାଲିଛି। ବିବାହ, ଭୋଜି ଓ ବିଭିନ୍ନ ଉତ୍ସବ ନାମରେ ଉଚ୍ଚଶବ୍ଦରେ ଡିଜେ ବାଜିବା ଯୋଗୁଁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ଅନେକ ସ୍ଥାନରେ ଅତ୍ୟଧିକ ଶବ୍ଦ ଓ ଡିଜେକୁ ନେଇ ଅଘଟଣ ଘଟୁଥିବା ଖବର ସାମ୍ନାକୁ ଆସୁଛି। ଓଡ଼ଗାଁ ଅଞ୍ଚଳରେ ମଧ୍ୟ ଡିଜେର ଉଚ୍ଚଶବ୍ଦକୁ ନେଇ ଅଭିଯୋଗ ବଢ଼ିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଶବ୍ଦ ପ୍ରଦୂଷଣ କେବଳ ଅସୁବିଧା ସୃଷ୍ଟି କରୁନାହିଁ, ଏହା ଜନସ୍ୱାସ୍ଥ୍ୟ ଓ ସାଧାରଣ ଜୀବନଯାପନ ପାଇଁ ମଧ୍ୟ ଚିନ୍ତାର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ନୂଆ ପିଢ଼ିର ଯୁବକମାନେ ମଧ୍ୟ ଏ ଦିଗରେ ସଚେତନ ହୋଇ ଉଚ୍ଚଶବ୍ଦର ଡିଜେକୁ ନିରୁତ୍ସାହିତ କରିବା ସହ ସାମାଜିକ ସଚେତନତା ସୃଷ୍ଟି କରିପାରିବେ। ତେବେ କେବଳ ସଚେତନତା ନୁହେଁ, ନିୟମର କଡ଼ାକଡ଼ି ପାଳନ ସହ ପ୍ରଶାସନ ଓ ପୋଲିସର ନିୟମିତ ତଦାରଖ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏପରିକି ପୋଲିସ ଠାରୁ ପରିମିସନ ନେଉଥିବା ଶବ୍ଦ ପରିମାଣ ଠାରୁ ଡିଜେର ଅତ୍ୟଧିକ ଶବ୍ଦ ଉପରେ ନିୟନ୍ତ୍ରଣ ଆଣିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସଚେତନ ମହଲ ପକ୍ଷରୁ ଦାବି ହୋଇଛି।