ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଡେରା ପକାଇଛନ୍ତି ୧୫ ଟିକିଆ ହାତୀପଲ
ଓଡ଼ଗାଁ, ୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ଗୟଳ ସିଂହ ଏବଂ ଭାଲୁ ମୁଣ୍ଡିଆ ତଳି ଅଞ୍ଚଳରେ ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ସମୟ ଧରି ୪ ଗୋଟି ଛୁଆ ହାତୀଙ୍କ ସହିତ ଏକ ୧୬ ଟିକିଆ ହାତୀପଲ ଖାଦ୍ୟ ଖାଇବା ଆଳରେ ଅଞ୍ଚଳର କେଉଁଠି ନା କେଉଁଠି ଲୁଟପାଟ ଜାରି ରଖିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ଗାଁ ବନାଞ୍ଚଳର ଗୟଳ ସିଂହ ମୁଣ୍ଡିଆ ତଳି ଅଞ୍ଚଳ ନିକଟସ୍ଥ ସେନାପତି ଫାର୍ମରେ ପସି ଲୁଟପାଟ କରିଥିବା ଜଣାପଡିଛି। ଅନେକ ଛୋଟ ଛୋଟ ନଡ଼ିଆ ଗଛ ସହ କଦଳୀ ବୁଦାକୁ ଭିଡ଼ି ଘୋଷାରି, ଦଳି ଚକଟି ଖାଇ ନଷ୍ଟ ଭ୍ରଷ୍ଟ କରି ପକାଇଛନ୍ତି । ଏଥି ସହିତ ଆଖପାଖ ଅଞ୍ଚଳର ଗଛ ପତ୍ର ମଧ୍ୟ ଭାଙ୍ଗିରୁଜି ପକାଇଛନ୍ତି। ଏପରିକି ସେଠାରେ ଥିବା ଏକ ଘର ମଧ୍ୟରୁ ବ୍ୟବହାର ସାମଗ୍ରୀ ଗୁଡ଼ିକ ମଧ୍ୟ ଭିଡିଆଣି ଫିଙ୍ଗା ଫୋପାଡା କରିପକାଇଛନ୍ତି । ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମାଲିକଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳ ଓ ବନରଖିଙ୍କ ସହିତ ହସ୍ତୀ ସୁରକ୍ଷା ବାହିନୀଙ୍କ ସହାୟତାରେ ହାତୀ ମାନଙ୍କ ଗତିବିଧି ନେଇ ପ୍ରତିଦିନ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ଜଗି ରହୁଛନ୍ତି । ଏଭଳି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମରେ ଏକ ହାତୀର ମୃତ୍ୟୁ ଖବର ପ୍ରକାଶ ପାଇଥିବା ବେଳେ ପଚରାଯିବାରେ ଓଡ଼ଗାଁ ବନାଞ୍ଚଳ ଏହାକୁ ଏକ ଗୁଜବ ବୋଲି ମତ ରଖିଛନ୍ତି। ଶୋଇଥିବା ଅବସ୍ଥାରେ ଏଭଳି ଫଟୋ ଉତ୍ତୋଳନ ହୋଇଥାଇପାରେ ବୋଲି କହିଥିଲେ। ତେବେ ହାତୀ ମଣିଷର ଏଭଳି ଭୟାନକ ପରିସ୍ଥିତି ପାଇଁ ଆମେ କାହାକୁ ଦାୟୀ କରିବା ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଦିନକୁ ଦିନ ଜଙ୍ଗଲ ଅଞ୍ଚଳରେ ଖାଦ୍ୟ ଓ ପାଣିର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଖରା ବର୍ଷା ଭଳି ବିଭିନ୍ନ ରୁତୁରେ ସେମାନଙ୍କୁ ରହିବା ବିଶ୍ରାମ ପାଇଁ ସୁରକ୍ଷିତ ସ୍ଥାନର ଅଭାବ ସୃଷ୍ଟି ହୋଇଛି। କାରଣ ଜଙ୍ଗଲ ତଥା ମୁଣ୍ଡିଆ ତଳି ଅଞ୍ଚଳରେ ପସି ମନୁଷ୍ୟ ମାନେ ସେମାନଙ୍କ ଘରଦ୍ଵାର ବୃଦ୍ଧି କରିବାରେ ଲାଗିପଡିଛନ୍ତି। ଏଣୁ ମାଙ୍କଡ, ହରିଣ, ବାରହା, ଶମ୍ବର ଭଳି ଅନେକ ଜଙ୍ଗଲି ପ୍ରାଣୀ ମାନଙ୍କ ସହିତ ଏବେ ହାତୀପଲ ବାଧ୍ୟ ହୋଇ ସହରାଭିମୁଖି ହେଉଛନ୍ତି। ଏଣୁ ପ୍ରଶାସନ କାହାଦ୍ବାରା ପ୍ରଭାବିତ ନହୋଇ ଜଙ୍ଗଲ ତଳି ଅଞ୍ଚଳର ସୁରକ୍ଷା ତଥା ସ୍ଥାୟୀତ୍ବ ପ୍ରତି ଯତ୍ନବାନ ରହିଲେ କେତେକାଂଶରେ ଏଥିରୁ ମୁକ୍ତି ମିଳି ପାରିବ ବୋଲି ପରିବେଶବିତ୍ ମାନେ ମତବ୍ୟକ୍ତ କରିଛନ୍ତି।