୧୯୨ ଅଙ୍ଗନୱାଡ଼ି କେନ୍ଦ୍ରରେ ତୃତୀୟ ଦିନରେ ଧୁମ୍ଧାମ; ‘ତ୍ରିରଙ୍ଗା ଥାଳି’ରେ ପୋଷଣର ବାର୍ତ୍ତା
ବେଲଗୁଣ୍ଠା, ୩୦/୦୯: -(ଶିବରାମ ଚୌଧୁରୀ )-“ଶିଶୁର ପୋଷଣ କେବଳ ମା’ଙ୍କ ଦାୟିତ୍ୱ ନୁହେଁ, ପରିବାରର ସମସ୍ତଙ୍କ ସହଭାଗିତା ହିଁ ଶିଶୁର ସୁସ୍ଥ ବିକାଶର ଆଧାର।” ଏହି ବାର୍ତ୍ତାକୁ ନେଇ ବେଲଗୁଣ୍ଠା ଆଇସିଡିଏସ୍ ପ୍ରକଳ୍ପର ସମସ୍ତ ୧୯୨ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ର ତୃତୀୟ ଦିନ ବେଶ ଉତ୍ସାହ ଓ ଧୁମ୍ଧାମରେ ପାଳିତ ହୋଇଯାଇଛି। ଉତ୍ସବରେ ମା’ଙ୍କ ସହ ବାପା ଓ ଜେଜେଙ୍କ ବହୁଳ ଭାଗିଦାରୀ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଶିଶୁଙ୍କ ଯତ୍ନ, ପୋଷଣ ଓ ବିକାଶରେ ବାପା ଓ ଜେଜେଙ୍କ ଭୂମିକାକୁ ନେଇ ଏହି ସହଭାଗିତା ଏକ ସୁନ୍ଦର ସନ୍ଦେଶ ଦେଇଥିଲା।ଏହି ଅବସରରେ ଅଙ୍ଗନୱାଡ଼ି କର୍ମୀ , ଅଙ୍ଗନବାଡ଼ି ସହାୟିକା ଓ ଆଶାକର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଗତ ୨୭ ତାରିଖରେ ବାପା ଓ ଜେଜେଙ୍କ ଦ୍ୱାରା ପ୍ରସ୍ତୁତ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ସାର୍ଟିଫିକେଟ୍ ଓ ଫଳ ବାସ୍କେଟ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।
ତୃତୀୟ ଦିନରେ ସିଡିପିଓ ନଳିନୀ ମହାରଣା ଓ ବେଲଗୁଣ୍ଠା ଅଞ୍ଚଳ ପରିଦର୍ଶିକା ବେଣୀପଲ୍ଲୀ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଗୋବରା ମଣ୍ଡଳ ପରିଦର୍ଶନ କରିଥିଲେ। ଏଠାରେ ବାପା, ମା’, କିଶୋରୀ ଓ ଶିଶୁଙ୍କ ଅଂଶଗ୍ରହଣରେ ‘ତ୍ରିରଙ୍ଗା ଥାଳି’ ପ୍ରସ୍ତୁତ କରାଯାଇ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତୀ ମହାରଣା, ପୋଷଣ ବିସି, ସମସ୍ତ ପରିଦର୍ଶିକା, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଯୋଗଦେଇଥିଲେ। ବାପା ଓ ଜେଜେଙ୍କ ଉତ୍ସାହଜନକ ଭାଗିଦାରୀରେ ଅଙ୍ଗନ କା ଉତ୍ସବର ତୃତୀୟ ଦିନ ପରିଣତ ହୋଇଥିଲା ପରିବାରର ସାମୂହିକ ଉତ୍ସବରେ।