ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କାହାର ଏତେ ଦୁଃସାହସ !
ଗ୍ରାମବାସୀଙ୍କୁ ଧମକ ଦେଇ ଚାଲିଛି ବେଆଇନ କାରବାର, ପ୍ରଶାସନର ହସ୍ତକ୍ଷେପ ଦାବି
କେନ୍ଦୁଝର,ତା୩୦/୯- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗ୍ରାମ ପଞ୍ଚାୟତର ବାରିଗାଁ ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ ଓ ପରିବହନ ହେଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରୁ ଅନୁମତି ବିନା ମୋରମ ଉତ୍ତୋଳନ କରି ବିଭିନ୍ନ ସ୍ଥାନକୁ ନେଇ ବିକ୍ରି କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି କାରବାରକୁ ବିରୋଧ କରୁଥିବା କିମ୍ବା ଏନେଇ ପ୍ରଶ୍ନ ଉଠାଉଥିବା କିଛି ଲୋକଙ୍କୁ ଧମକ ଦିଆଯାଉଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଫଳରେ ଘଟଣା ସମ୍ପର୍କରେ ଖୋଲାଖୋଲି ଅଭିଯୋଗ କରିବାକୁ ମଧ୍ୟ ଅନେକେ ଭୟ କରୁଥିବା ଜଣାପଡ଼ିଛି।
ମୋରମ ଉତ୍ତୋଳନ ଯୋଗୁଁ ସ୍ଥାନୀୟ ପରିବେଶ, ରାସ୍ତାଘାଟ ଓ ସରକାରୀ ଜମି ଉପରେ କୌଣସି ପ୍ରଭାବ ପଡ଼ୁଛି କି ନାହିଁ, ଏହାର ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ଗ୍ରାମବାସୀମାନେ କହିଛନ୍ତି।
ତେଣୁ ଘଟଣାସ୍ଥଳରେ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ମୋରମ ଉତ୍ତୋଳନର ଅନୁମତି, ଖଣିଜ ଚାଲାଣ ଓ ରୟାଲଟି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ଆଇନାନୁଯାୟୀ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି।
ଏହି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ, ତହସିଲ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ କରିବା ସହ ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ଉପରେ ରୋକ୍ ଲଗାଇବାକୁ ବାରିଗାଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।