୧୩୩ ଜଣଙ୍କ ପଞ୍ଜୀକରଣ, ୩ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ
ବିଜେପୁର: ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ଅଭିଭାବକ ଯୋଗଦେଇ ସରକାରୀ ସହାୟତା ଓ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ନେଇଥିଲେ।କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଦଣ୍ଡସେନା ଓ ଏବିଡିଓ ଉମାରାଣୀ ଝାଙ୍କର ଅତିଥି ଭାବେ ଉପସ୍ଥିତ ଥିଲେ। ଶିବିରରେ ମୋଟ ୧୩୩ ଜଣ ହିତାଧିକାରୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।ଭିନ୍ନକ୍ଷମ ପ୍ରମାଣପତ୍ର, ଭତ୍ତା, ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ଓ ଆବଶ୍ୟକୀୟ ସହାୟକ ଉପକରଣ ପାଇବାର ପ୍ରକ୍ରିୟା ସମ୍ପର୍କରେ ଶିବିରରେ ହିତାଧିକାରୀଙ୍କୁ ଅବଗତ କରାଯାଇଥିଲା। ଯୋଗ୍ୟ ବ୍ୟକ୍ତିମାନେ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।ଶିବିର ଅବସରରେ ୩ ଜଣ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।ଟ୍ରାଇସାଇକେଲ ପାଇଥିବା ହିତାଧିକାରୀମାନେ ଏହା ଦ୍ୱାରା ନିଜ ଦୈନନ୍ଦିନ ଚଳାଚଳରେ ସହାୟତା ପାଇବେ ବୋଲି ଆଶା ପ୍ରକାଶ କରିଥିଲେ।ଦୂରଦୂରାନ୍ତରୁ ଆସିଥିବା ହିତାଧିକାରୀଙ୍କ ପାଇଁ ଏଭଳି ଶିବିର ଏକ ସ୍ଥାନରେ ବିଭିନ୍ନ ସେବା ଓ ସୁବିଧା ପାଇବାର ସୁଯୋଗ ସୃଷ୍ଟି କରିଛି। ଶିବିରକୁ ସଫଳ କରିବାରେ ବ୍ଲକ ପ୍ରଶାସନର କର୍ମଚାରୀ ଓ ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।