ଜାତୀୟ ସେବା ଯୋଜନାରେ ଶ୍ରେଷ୍ଠ ‘ବୃକ୍ଷରୋପଣ କୋ-ୟୁନିଟ୍’ ପୁରସ୍କାର
ବେଲଗୁଣ୍ଠା, ୨୯/୦୯:-(ଶିବରାମ ଚୌଧୁରୀ )-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷର ସମ୍ମାନିତ ଉତ୍ସବ ସେପ୍ଟେମ୍ବର ୨୮ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ମଧ୍ୟରୁ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ, କ୍ଷତ୍ରିୟବରପୁରକୁ ଶ୍ରେଷ୍ଠ ବୃକ୍ଷରୋପଣ କୋ-ୟୁନିଟ୍ ଭାବେ ପୁରସ୍କୃତ କରାଯାଇଛି।ଏହି ସଫଳତା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ଵେଚ୍ଛାସେବୀଙ୍କ ନିଷ୍ଠା, ପରିବେଶ ସୁରକ୍ଷା ପ୍ରତି ସଚେତନତା ଓ ନିରନ୍ତର ପରିଶ୍ରମର ଫଳ ବୋଲି ମତପ୍ରକାଶ ପାଇଛି। ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା ଓ ସାମାଜିକ ସେବା କାର୍ଯ୍ୟରେ ଏନ୍ଏସ୍ଏସ୍ ୟୁନିଟ୍ର ସକ୍ରିୟ ଅବଦାନ ଏହି ସମ୍ମାନ ଆଣିଦେଇଛି।ଏହି ଗୌରବମୟ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରିଧର ନାୟକ, ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ଏବଂ ଏନ୍ଏସ୍ଏସ୍ର ସମସ୍ତଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଛି। ଏହି ପୁରସ୍କାର ମହାବିଦ୍ୟାଳୟରେ ପରିବେଶ ସୁରକ୍ଷା ଓ ସାମାଜିକ ସେବା କାର୍ଯ୍ୟକୁ ଆହୁରି ଗତିଶୀଳ କରିବ ବୋଲି ଆଶା ପ୍ରକାଶ ପାଇଛି।