– ପ୍ରାୟ ୫,୦୦୦ ଉପଭୋକ୍ତା ଉପକୃତ ହେବେ
ବୌଦ୍ଧ, ନଭେମ୍ବର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ନିଜର ପ୍ରତିବଦ୍ଧତା ସହିତ ଆଉ ଏକ ପାଦ ଆଗକୁ ବଢିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)। ଏହି କ୍ରମରେ ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଗୁନ୍ଦୁଳିଆଠାରେ ଏକ ନୂତନ ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନ୍ (ପିଏସ୍ଏସ୍) ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ । ଏଥିସହିତ ଭୋଲ୍ଟେଜ୍ର ଗୁଣବତ୍ତାରେ ଉନ୍ନତି ଆସିବ ଏବଂ ଅଞ୍ଚଳରେ ବଢ଼ୁଥିବା ବିଦ୍ୟୁତ ଚାହିଦା ପୂରଣ ହୋଇପାରିବ। ଏହାଦ୍ୱାରା ଗୁନ୍ଦୁଳିଆ ଓ ଏହାର ଆଖପାଖ ଅଞ୍ଚଳର ଉପଭୋକ୍ତାମାନେ ଉନ୍ନତ ବିଦ୍ୟୁତ ସେବା ପାଇପାରିବେ।
ଏହି ସବ୍ଷ୍ଟେସନ୍କୁ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ମାନ୍ୟବର ବିଧାୟକ, କଣ୍ଟାମାଳ ତଥା ବୌଦ୍ଧ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍; ଶ୍ରୀ ବିଭୂତି ଭୂଷଣ ନାୟକ, ଆଇଏଏସ୍, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ବୌଦ୍ଧ ; ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଇଂ. ରାକେଶ ତ୍ରିପାଠୀ ଉପସ୍ଥିତ ଥିଲେ । ଏଥିସହ ଶ୍ରୀ ଡି.ଆର୍. ଧର୍ମାଧିକାରୀ, ଚିଫ୍ ଟେକ୍ନିକାଲ ସର୍ଭିସେସ୍, ଟିପିଏସ୍ଓଡିଏଲ୍; ଜୋନାଲ୍ ମୁଖ୍ୟ ଶ୍ରୀ ପ୍ରତାପ କେଶରୀ ସାହୁ, ସର୍କଲ୍ ମୁଖ୍ୟ ଶ୍ରୀ ଅଭିଜିତ୍ ପାଢ଼ୀ ଏବଂ ଡିଭିଜନ୍ ମୁଖ୍ୟ ଶ୍ରୀ ନରେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।
ଓଡ଼ିଶା ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ସୁଦୃଢ଼ୀକରଣ ପ୍ରକଳ୍ପ (ଓଡିଏସ୍ଏସ୍ପି -୪) ଅଧୀନରେ ଏହି ସବ୍ଷ୍ଟେସନ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଠାରେ ୫ ଏମ୍ଭିଏ କ୍ଷମତା ବିଶିଷ୍ଟ ଦୁଇଟି ପାୱାର୍ ଟ୍ରାନ୍ସଫର୍ମର (ପିଟିଆର୍) ସ୍ଥାପନ କରାଯାଇଛି । ଫଳରେ ଏହି ସବ୍ଷ୍ଟେସନ୍ର ମୋଟ କ୍ଷମତା ୧୦ ଏମ୍ଭିଏ ରହିଛି । ଏହା ଅଞ୍ଚଳର ବିଦ୍ୟୁତ ବଣ୍ଟନ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ସହ ବଢ଼ୁଥିବା ବିଦ୍ୟୁତ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ।
ପୂର୍ବରୁ ଗୁନ୍ଦୁଳିଆ ଅଞ୍ଚଳକୁ ମୁଖ୍ୟତଃ ବାଉଁଶୁଣୀ ପ୍ରାଥମିକ ସବ୍ଷ୍ଟେସନ୍ରୁ ବିଦ୍ୟୁତ ଯୋଗାଣ କରାଯାଉଥିଲା। ନୂତନ ଗୁନ୍ଦୁଳିଆ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ହେବା ପରେ ଶଗଡ଼ା, ଗୋଛାପଡ଼ା, ତିଲିପଙ୍କା ଓ ଖଜୁରିପଡ଼ା ନାମରେ ଚାରୋଟି ସ୍ୱତନ୍ତ୍ର ୧୧ କେଭି ଫିଡର୍ ମାଧ୍ୟମରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏହାଦ୍ୱାରା ବିଦ୍ୟୁତ ଲୋଡ୍ର ସଠିକ୍ ପରିଚାଳନା, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ଅଧିକ ସୁବିଧା ଏବଂ ଆଖପାଖ ଅଞ୍ଚଳରେ ଅଧିକ ସୁଚାରୁ ଭାବେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ।
ଏହି ନୂତନ ସବ୍ଷ୍ଟେସନ୍ ଯୋଗୁଁ ଗୁନ୍ଦୁଳିଆ, ଶଗଡ଼ା, ଆମ୍ବାଝରୀ ଓ ଗୋଛାପଡ଼ା ଆଦି ଚାରୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୫,୦୦୦ ଉପଭୋକ୍ତା ଉପକୃତ ହେବେ। ଉପଭୋକ୍ତାଙ୍କ ନିକଟରେ ଭରସାଯୋଗ୍ୟ ବିଜୁଳି ସେବା ପହଞ୍ଚିବା ଦ୍ୱାରା ଭୋଲ୍ଟେଜ୍ ସମସ୍ୟା ହ୍ରାସ ପାଇବା ସହ ଫିଡର୍ରେ ଦେଖାଦେଉଥିବା ତ୍ରୁଟି ଯୋଗୁଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବାର ପ୍ରଭାବ କମିବ। ଫଳରେ ଘରୋଇ ଉପଭୋକ୍ତା, କୃଷି କାର୍ଯ୍ୟ, ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଅତ୍ୟାବଶ୍ୟକ ସାମଗ୍ରିକ ସେବା ପାଇଁ ଅଧିକ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିବ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି “ଗୁନ୍ଦୁଳିଆ ପ୍ରାଥମିକ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ହେବା ଦକ୍ଷିଣ ଓଡ଼ିଶାରେ, ବିଶେଷକରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ବଣ୍ଟନ ନେଟୱର୍କକୁ ସୁଦୃଢ଼ କରିବା ଦିଗରେ ଆମର ନିରନ୍ତର ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ। ୧୦ ଏମ୍ଭିଏ କ୍ଷମତାର ଟ୍ରାନ୍ସଫର୍ମର ଏବଂ ଚାରୋଟି ସ୍ୱତନ୍ତ୍ର ୧୧ କେଭି ଫିଡର୍ ସହ ଏହି ସବ୍ଷ୍ଟେସନ୍ ଆମର କାର୍ଯ୍ୟକ୍ଷମତାକୁ ଆହୁରି ବଢ଼ାଇବା ସହ ପ୍ରାୟ ୫,୦୦୦ ଉପଭୋକ୍ତାଙ୍କୁ ଉନ୍ନତମାନର ଓ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବ । ଅଞ୍ଚଳର ବିକାଶକୁ ଗତି ଦେବା, ଉପଭୋକ୍ତାଙ୍କ ଅଭିଜ୍ଞତାରେ ଉନ୍ନତି ଆଣିବା ଏବଂ ଆମେ ସେବା ଯୋଗାଉଥିବା ଅଞ୍ଚଳର ସାମଗ୍ରିକ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବା ଭଳି ଦୃଢ଼ ଭିତ୍ତିଭୂମି ବିକାଶ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଛୁ ।”
ଗୁନ୍ଦୁଳିଆ ପ୍ରାଥମିକ ସବ୍ଷ୍ଟେସନ୍ର କାର୍ଯ୍ୟକ୍ଷମତା ଟିପିଏସ୍ଓଡିଏଲ୍ର ବିଦ୍ୟୁତ ବଣ୍ଟନ ଭିତ୍ତିଭୂମିର ଆଧୁନିକୀକରଣ ଓ ସମ୍ପ୍ରସାରଣ ଦିଗରେ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି। ଯୋଜନାବଦ୍ଧ ପୁଞ୍ଜିନିବେଶ ଓ ଆଧୁନିକ ଜ୍ଞାନକୌଶଳ ଆଧାରିତ ପଦକ୍ଷେପ ମାଧ୍ୟମରେ କମ୍ପାନୀ ନିଜର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିକ ଉନ୍ନତ କରୁଛି। ତୃଣମୂଳ ସ୍ତରରେ ବିଦ୍ୟୁତ ନେଟୱର୍କକୁ ସୁଦୃଢ଼ କରିବା ସହ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରେ ନିଜର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ପ୍ରତ୍ୟେକ ଉପଭୋକ୍ତାଙ୍କୁ ସୁରକ୍ଷିତ, ନିରବଚ୍ଛିନ୍ନ ଓ ଉନ୍ନତମାନର ବିଦ୍ୟୁତ ଯୋଗାଣ କରିବାକୁ କମ୍ପାନୀ ପ୍ରତିବଦ୍ଧ।
ଏହି କାର୍ଯ୍ୟକ୍ରମରେ କମ୍ପାନୀର ଅନ୍ୟାନ୍ୟ କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।