ଟିପିଡବ୍ଲୁଓଡିଏଲ୍ ଏବଂ ଗ୍ରୀଡକୋ ପକ୍ଷରୁ ଶିଳ୍ପ ଉପଭୋକ୍ତା ସମ୍ମିଳନୀ ଆୟୋଜିତ; ସୌରଶକ୍ତି ବ୍ୟବହାର କରି ବିଦ୍ୟୁତ୍ ଖର୍ଚ୍ଚ କମାଇବା ଉପରେ ଗୁରୁତ୍ୱ
• ୪.୧୦ ଟଙ୍କା ପ୍ରତି kVAh ଦରରେ ସୌର ଶକ୍ତି ଉପଲବ୍ଧ; ଯୋଗ୍ୟ ଶିଳ୍ପ ଉପଭୋକ୍ତାମାନେ ଦିନବେଳାର ବିଦ୍ୟୁତ୍ ଶୁଳ୍କରେ ପ୍ରାୟ ୨୧-୨୨% ସଞ୍ଚୟ କରିପାରିବେ।
• ଅକ୍ଟୋବର ୨୦୨୬ ସୁଦ୍ଧା ‘ସୋଲାର୍ ଟିପିଏ” ମଡେଲ୍ ଅଧୀନରେ ପ୍ରାୟ ୧୮୦ ନିୟୁତ ୟୁନିଟ୍ ସୌର ଶକ୍ତି ଯୋଗାଇ ଦିଆଯାଇଛି ।
ରାଉରକେଲା, ୧୬ ନଭେମ୍ବର ୨୦୨୬: ଶିଳ୍ପ ସଂସ୍ଥାଗୁଡ଼ିକୁ ସୁଲଭ ମୂଲ୍ୟରେ ସବୁଜ ଶକ୍ତି ଉପଲବ୍ଧ କରାଇବା ସହ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ଏବଂ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ବୃଦ୍ଧି ଲକ୍ଷ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏବଂ ଗ୍ରୀଡକୋ ଲିମିଟେଡ ପକ୍ଷରୁ ମିଳିତ ଭାବେ ଗତ ସପ୍ତାହରେ ରାଉରକେଲା ଚାମ୍ବର ଅଫ୍ କମର୍ସଠାରେ ଏକ ଶିଳ୍ପ ଉପଭୋକ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଶିଳ୍ପ କ୍ଷେତ୍ରର ପ୍ରାୟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଆଲୋଚନାରେ ଅକ୍ଷୟ ଶକ୍ତି କ୍ରୟ, ବିଦ୍ୟୁତ୍ ଶୁଳ୍କରେ ରିହାତି ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସୋଲାର ତ୍ରିପାକ୍ଷିକ ଚୁକ୍ତି ମଡେଲ୍ । ଏହି ବ୍ୟବସ୍ଥା ଅନୁଯାୟୀ ଟିପିଡବ୍ଲୁଓଡିଏଲ୍, ଗ୍ରୀଡକୋ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରତି kVAh ପିଛା ୪.୧୦ ଟଙ୍କା ଗ୍ରୀନ୍ ଏନର୍ଜି ଟାରିଫ୍ରେ ସୌର ବିଦ୍ୟୁତ୍ ପାଇପାରିବେ ।
୬୦ ପ୍ରତିଶତ ପର୍ଯ୍ୟନ୍ତ ଲୋଡ୍ ଫ୍ୟାକ୍ଟର ଥିବା ଯୋଗ୍ୟ ହାଇ ଟେନ୍ସନ୍ (HT) ଏବଂ ଏକ୍ସଟ୍ରା ହାଇ ଟେନ୍ସନ୍ (EHT) ଶିଳ୍ପ ଉପଭୋକ୍ତାମାନେ ଏହି ବ୍ୟବସ୍ଥା ଦ୍ୱାରା ଦିନବେଳା ବିଦ୍ୟୁତ୍ ଶକ୍ତି ଶୁଳ୍କରେ ପ୍ରାୟ ୨୧ରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଏଥିପାଇଁ ଉପଭୋକ୍ତାଙ୍କୁ କୌଣସି ପୁଞ୍ଜି ନିବେଶ କରିବାକୁ ପଡ଼ିବ ନାହିଁ । ଏହା ସହିତ ଓପନ୍ ଆକ୍ସେସ୍ ଶୁଳ୍କ, ଶକ୍ତି କ୍ଷତି କିମ୍ବା ଏ ସମ୍ବନ୍ଧୀୟ ଜଟିଳ କାଗଜପତ୍ର କାର୍ଯ୍ୟର ମଧ୍ୟ ଆବଶ୍ୟକତା ନାହିଁ । ଅକ୍ଟୋବର ୨୦୨୬ ସୁଦ୍ଧା ଏହି ମଡେଲ୍ ଅଧୀନରେ ପ୍ରାୟ ୧୮୦ ନିୟୁତ ୟୁନିଟ୍ ସୌର ବିଦ୍ୟୁତ୍ ଯୋଗାଣ କରାଯାଇଛି ।
ଏହି ଅବସରରେ ୨୦୨୬-୨୭ ବର୍ଷର ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାର ପ୍ରମୁଖ ବିଷୟଗୁଡ଼ିକ ସମ୍ପର୍କରେ ମଧ୍ୟ ଶିଳ୍ପ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଏଥିରେ ଗତ ପାଞ୍ଚ ବର୍ଷ ଧରି ଏନର୍ଜି ଚାର୍ଜରେ କୌଣସି ବୃଦ୍ଧି ନହେବା, ଯୋଗ୍ୟ ଶିଳ୍ପ ସଂସ୍ଥାଗୁଡ଼ିକୁ ବିନା ଜରିମାନାରେ ଚୁକ୍ତିଭିତ୍ତିକ ଚାହିଦାର ୧୨୦ ପ୍ରତିଶତ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାରର ସୁବିଧା ଏବଂ ଟାଇମ୍ ଅଫ୍ ଡେ (ToD) ରିହାତି ଅନ୍ତର୍ଭୁକ୍ତ । ଏହି ବ୍ୟବସ୍ଥା ଅନୁଯାୟୀ, ସୌରଶକ୍ତି ଉପଲବ୍ଧ ସମୟ ଅର୍ଥାତ୍ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ୧୦ ପ୍ରତିଶତ ରିହାତି ଏବଂ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ପିକ୍ ଆୱାର୍ରେ ୧୦ ପ୍ରତିଶତ ଅଧିକ ଶୁଳ୍କ ଲାଗୁ ହେବ । ଏହା ୧ ଜୁଲାଇ ୨୦୨୬ରୁ କାର୍ଯ୍ୟକାରୀ ହୋଇଛି। ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ବ୍ୟବସ୍ଥା ନଥିବା ଇସ୍ପାତ କାରଖାନାଗୁଡ଼ିକ ପାଇଁ ସ୍ୱତନ୍ତ୍ର ରିହାତି ଏବଂ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକ ପାଇଁ ଜରୁରୀକାଳୀନ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ସମ୍ମିଳନୀରେ ଟିପିଡବ୍ଲୁଓଡିଏଲର ଚିଫ୍ ଅଫ୍ କମର୍ସିଆଲ୍ ସର୍ଭିସେସ୍ ଶ୍ରୀ ପରମ ତେନ୍ଦୁଲକର କମ୍ପାନୀର ଆଗାମୀ ଭିତ୍ତିଭୂମି ବିକାଶ ଯୋଜନା ଏବଂ ଶିଳ୍ପ ପରିସରରେ ବିଦ୍ୟୁତ୍ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଗ୍ରୀଡକୋର ଜେନେରାଲ ଶ୍ରୀ ସୋଭନ ରାୟ ଅକ୍ଷୟ ଶକ୍ତିର ପରିବେଶଗତ ଉପକାରିତା ସମ୍ପର୍କରେ ମତ ରଖିଥିଲେ । ସେହିପରି ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀ ମଲୟ ମଣ୍ଡଳ, ଟାଟା ପାୱାର ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଦ୍ୟୁତ୍ ଯୋଗାଣରେ ହୋଇଥିବା ଉନ୍ନତିକୁ ସ୍ୱୀକାର କରିବା ସହ ଏ କ୍ଷେତ୍ରରେ ଆହୁରି ଉନ୍ନତିର ଆବଶ୍ୟକତା ଉପରେ ଶିଳ୍ପ ଜଗତର ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ ଟିମ୍ ପକ୍ଷରୁ ଗ୍ରୀନ୍ ଏନର୍ଜି ଟାରିଫ୍ ଏବଂ ଅକ୍ଷୟ ଶକ୍ତି କ୍ରୟର ବିଭିନ୍ନ ଲାଭ ସମ୍ପର୍କରେ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା ।
ଏହି ଆଲୋଚନା ଶିଳ୍ପ ପ୍ରତିନିଧିମାନଙ୍କୁ ନିଜ ଅନୁଭୂତି ଓ ଆଶା ଉପସ୍ଥାପନ କରିବାର ସୁଯୋଗ ଦେଇଥିଲା। ଶିବା ସିମେଣ୍ଟ, ଡାଲମିଆ ସିମେଣ୍ଟ, ରୁଙ୍ଗଟା ମାଇନ୍ସ, ସ୍କାନ୍ ଷ୍ଟିଲ୍, ଗଣେଶ ମେଟାଲିକ୍ ଏବଂ ପୁଷ୍ପାଞ୍ଜଳି ଆଲୟର ପ୍ରତିନିଧିମାନେ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ଓ ସମ୍ପୃକ୍ତ ସେବାରେ ହୋଇଥିବା ଉନ୍ନତିକୁ ପ୍ରଶଂସା କରିବା ସହ ଆହୁରି ଉନ୍ନତି ପାଇଁ ନିଜର ମତାମତ ରଖିଥିଲେ ।
ଏହା ସହିତ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରାଉରକେଲା ସର୍କଲରେ ଚାଲିଥିବା ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ପ୍ରାୟ ୯,୭୩୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସର୍କଲରେ ୧୧ଟି ଗ୍ରୀଡ୍ ସବ୍ଷ୍ଟେସନ୍ ଏବଂ ୬୭ଟି ପ୍ରାଇମେରୀ ସବ୍ଷ୍ଟେସନ୍ ରହିଛି । ନେଟୱର୍କକୁ ଅଧିକ ସୁଦୃଢ଼ ଓ ନିର୍ଭରଯୋଗ୍ୟ କରିବା ପାଇଁ ଯୋଜନା ହୋଇଥିବା ୪୪ଟି ରିଙ୍ଗ୍ ମେନ୍ ୟୁନିଟ୍ (RMU) ମଧ୍ୟରୁ ୩୧ଟି ସ୍ଥାପନ କରାଯାଇଛି । ଏହା ବ୍ୟତୀତ ୯୮ଟି ସ୍ଥାନରେ ଅଟୋ-ରିକ୍ଲୋଜର ଏବଂ ୫୫ଟି ଫଲ୍ଟ ପାସେଜ୍ ଇଣ୍ଡିକେଟର (FPI) ସ୍ଥାପନ ସହ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି, ସବ୍ଷ୍ଟେସନ୍ର ଆଧୁନିକୀକରଣ ଏବଂ ୩୩ କେଭି ନେଟୱର୍କର ସୁଦୃଢ଼ୀକରଣ କାର୍ଯ୍ୟ ଜାରି ରହିଛି ।
ଏହି ଶିଳ୍ପ ଉପଭୋକ୍ତା ସମ୍ମିଳନୀ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ଓ ଗ୍ରୀଡକୋ ଶିଳ୍ପ ସଂସ୍ଥାଗୁଡ଼ିକ ସହ ନିରନ୍ତର ସମ୍ପର୍କ ଓ ସହଯୋଗ ବଜାୟ ରଖିବା ସହ ଏହି ଅଞ୍ଚଳରେ ନିର୍ଭରଯୋଗ୍ୟ, ସୁଲଭ ଏବଂ ସ୍ଥାୟୀ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।