ଶହୀଦ ସିପାହୀ ରମେଶ ହଲୱାଙ୍କୁ ମାଲକାନଗିରିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

11


​
​ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମାଟିର ବୀର ସପୁତ, ଶହୀଦ ସିପାହୀ ରମେଶ ହଲୱାଙ୍କ ବଳିଦାନକୁ ମନେ ପକାଇଛି ପୂରା ଜିଲ୍ଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଲକାନଗିରି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ CRPF ତରଫରୁ ବୀର ଶହୀଦଙ୍କ ସ୍ମୃତିରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତି ପର୍ବ ପାଳିତ ହୋଇଯାଇଛି।
୧୨ ଏପ୍ରିଲ ୧୯୮୪ରେ ମାଲକାନଗିରି Z.A କଲୋନୀରେ ଜନ୍ମଗ୍ରହଣ କରିଥିଲେ ରମେଶ। ସେ ମାଲକାନଗିରି ବାଳକ ଉଚ୍ଚ ବିଦ୍ୟାଳୟରେ ନିଜର ପ୍ରାଥମିକ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିଥିଲେ। ପାଠପଢ଼ା ପରେ ୧୩ ଜାନୁଆରୀ ୨୦୦୬ରେ ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ରେ ଯୋଗଦେଇ ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ।
ବୁନିଆଦି ତାଲିମ୍ ପରେ ସେ ଜମ୍ମୁ-କାଶ୍ମୀର ବଡଗାମସ୍ଥିତ ୧୭୯ ବାଟାଲିୟନରେ ମୋତୟନ ହୋଇଥିଲେ। ୨୯ ସେପ୍ଟେମ୍ବର ୨୦୦୯ ସନ୍ଧ୍ୟାରେ, ପ୍ରଶାସନିକ କାର୍ଯ୍ୟ ପାଇଁ ସୋପୋର ବସ୍ ଷ୍ଟାଣ୍ଡ ନିକଟକୁ ଯାଇଥିବା ସମୟରେ, ଆତଙ୍କବାଦୀଙ୍କ କାପୁରୁଷପୂର୍ଣ୍ଣ ଆକ୍ରମଣର ଶିକାର ହୋଇଥିଲେ। ଦେଶର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ସର୍ବୋଚ୍ଚ ବଳିଦାନ ଦେଇ ଶହୀଦ ହୋଇଥିଲେ।
ଶହୀଦ ରମେଶ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଥିଲେ, ସେହି ମାଲକାନଗିରି ବାଳକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶହୀଦଙ୍କ ପରିବାରବର୍ଗ, ମାଲକାନଗିରି ଅତିରିକ୍ତ ଏସପି ରାଜକିଶୋର ଦାସ, CRPF ଇନ୍ସପେକ୍ଟର ପି.କେ ସାହୁ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, CRPF ଯବାନ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। ସମସ୍ତେ ଶହୀଦଙ୍କ ପ୍ରତିମୂର୍ତ୍ତି ଓ ଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶହୀଦ ରମେଶଙ୍କ ଏହି ମହାନ ଆତ୍ମବଳିଦାନ ଆଜିର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ସଦାସର୍ବଦା ଦେଶଭକ୍ତିର ଏକ ଅମର ପ୍ରେରଣା ହୋଇ ରହିବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.