କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ–୨୦୨୬’ ପାଳିତ ।

10

କେନ୍ଦ୍ରାପଡ଼ା: ୨୭/୦୯(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ–୨୦୨୬’ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଆୟୋଧ୍ୟାନଗର, ବଡ଼ହାଟ ଓ ବଟାପୁର ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଉତ୍ସବରେ ଯୋଗଦେଇଥିଲେ।
ଏହି ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଅଭିଭାବକ, ଅଦ୍ୱିକା ବାଳିକା, ସୁଭଦ୍ରା ହିତାଧିକାରୀ, ପ୍ରାକ୍-ବିଦ୍ୟାଳୟ ଶିଶୁ, ସ୍ଥାନୀୟ ଜନପ୍ରତିନିଧି ଓ ସମୁଦାୟର ବିଭିନ୍ନ ସଦସ୍ୟମାନେ ଉପସ୍ଥିତ ରହି ଉତ୍ସବରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଉତ୍ସବର ଅଂଶ ଭାବେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପିତାମାନଙ୍କ ପାଇଁ ରେସିପି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପିତାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଆୟର ଅଙ୍ଗନୱାଡ଼ି କେନ୍ଦ୍ରର ବିଭିନ୍ନ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ICDS ଅଧୀନରେ ମିଳୁଥିବା ବିଭିନ୍ନ ସେବା ଓ ସୁବିଧା ସମ୍ପର୍କରେ ସେମାନଙ୍କ ମତାମତ ଓ ଅନୁଭୂତି ଜାଣିଥିଲେ। ଏଥିସହିତ ଶିଶୁମାନଙ୍କ ପୋଷଣ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ମାତୃ ଓ ଶିଶୁ ଯତ୍ନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁଙ୍କ ପୋଷଣ, ପ୍ରାରମ୍ଭିକ ଶିକ୍ଷା ଓ ମାତୃ-ଶିଶୁ ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିବା ସହ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ‘ଅଙ୍ଗନ କା ଉତ୍ସବ’ର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.