ଚୋରା ଲୁହାପଥର ଚାଲାଣ ଘଟଣାରେ ୨ ଗିରଫ: ୨ ଡ଼ମ୍ପର ଜବତ

0 1

ବଡ଼ବିଲ: ନକଲି ଚାଲାଣ ଦ୍ୱାରା ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଥିବା ବେଳେ ୨ଟି ଲୁହାପଥର ବୋଝେଇ ଡମ୍ପରକୁ ବଡ଼ବିଲ ପୋଲିସ ଜବତ୍ କରିବା ସହିତ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ବଲାଣୀ ଅଞ୍ଚଳର ସେଖ୍ ହଫିଜୁଲ ରେହେମାନ ଓ ଠାକୁରାଣୀ ଅଂଚଳର ବିକି ସାହୁ।  ପୋଲିସ ସୂତ୍ର ଅନୁଯାୟୀ ଗତ ୨୪ ତାରିଖ ରାତିରେ ଗୁଆଲି ସ୍ଥିତ ଆରପି ସାଓ ଖଣିରୁ ସାଇଜ ଲୁହାପଥର  ବୋଝେଇ କରି  ଓଆର୍ ୦୯ କେ ୮୦୩୧ ଓ ଓଆର୍ ୦୯ ଏଚ୍ ୯୫୧୫ ନମ୍ବର ବିଶିଷ୍ଟ ଡ଼ମ୍ପର ବଡ଼ବିଲ ରେଲୱେ ସାଇଡ଼ିଂ ଅଭିମୁଖେ ଯାଇଥିଲା।  ହେଲେ ଡ଼ମ୍ପର ଦ୍ୱୟ ବଡ଼ବିଲ ସାଇଡ଼ିଂରେ ବୋଝେଇ ଥିବା ଲୁହାପଥରକୁ ବଡ଼ବିଲ ସାଇଡ଼ିଂରେ ଅନଲୋଡ଼ ନକରି ନକଲି ଟି ପି ଓ ଚାଲାଣ ସାହାଯ୍ୟରେ ଝାଡ଼ଖଣ୍ଡକୁ ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ବଡ଼ବିଲ ପୋଲିସ ଝାଡଖଣ୍ଡ ରାଜ୍ୟ ସୀମା ନାଲଦା ଅଞ୍ଚଳରେ ଏହି ଦୁଇ ଡ଼ମ୍ପରକୁ ଠାବ କରିଥିଲା। ପୋଲିସ ଦୁଇ ଡ଼ମ୍ପରକୁ ଅଟକାଇ   କାଗଜପତ୍ର ଯାଂଚ କରୁଥିବା ସମୟରେ ଗାଡ଼ିର ଡ୍ରାଇଭର ଦ୍ୱୟ  ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଏହି ଦୁଇ ଗାଡିର ଟିପି ଓ ଚାଲାଣ ନକଲି ଥିବା ଜଣାପଡିଥିଲା। ଜବତ ସାଇଜ୍ ଲୁହାପଥରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ନକଲି କାଗଜପତ୍ର ଅଭିଯୁକ୍ତ ମାନେ କେଉଁଠି ପ୍ରସ୍ତୁତ କରିଥିଲେ ସେ ନେଇ ତଦନ୍ତ ଜାରି ରହିଥିବା ବଡ଼ବିଲ ଏସଡିପିଓ ଦିଲିପ ଚନ୍ଦ୍ର ବାଗ୍ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.