ବଲାଙ୍ଗୀର, ୨୫ ସେପ୍ଟେମ୍ବର: ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆତ୍ମହତ୍ୟା ନିରୋଧ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ମିସ୍ ଅମରୀତା ପ୍ରୀତମ ଯୋଗଦେଇଥିଲେ। ଏହା ବ୍ୟତୀତ ମହାବିଦ୍ୟାଳୟର ପ୍ରମୁଖ ଅଧ୍ୟାପକ ଶ୍ରୀ ବିଭୂତିଭୂଷଣ ସାହୁ, ଅର୍ଥନୀତି ବିଭାଗର ମୁଖ୍ୟ,ଶ୍ରୀମତୀ ରାନ୍ଥି ତିର୍କି,ମନୋବିଜ୍ଞାନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ମିସ୍ ଅମରୀତା ପ୍ରୀତମ ସମାଜରେ ଆତ୍ମହତ୍ୟାକୁ କିପରି ରୋକାଯାଇପାରିବ, ମାନସିକ ଚାପ ଓ ଭାବନାତ୍ମକ ସମସ୍ୟାକୁ କିପରି ଚିହ୍ନଟ କରାଯିବ ଏବଂ ସଙ୍କଟ ସମୟରେ କିପରି ସହାୟତା ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଗଭୀର ଆଲୋଚନା କରିବା ସହ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମନୋବିଜ୍ଞାନ ବିଭାଗର ଛାତ୍ରୀମାନେ ଏକ ସୁନ୍ଦର ନାଟକ ମାଧ୍ୟମରେ ଆତ୍ମହତ୍ୟା ନିରୋଧ ସମ୍ପର୍କିତ ସଚେତନତାମୂଳକ ବାର୍ତ୍ତା ପ୍ରଦର୍ଶନ କରିଥିଲେ। ନାଟକଟି ଉପସ୍ଥିତ ଛାତ୍ରୀ ଓ ଅତିଥିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା।
ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ମନୋବିଜ୍ଞାନ ବିଭାଗର ଶ୍ରୀ ଲିଲନ କୁମାର ପଟ୍ଟନାୟକ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶେଷରେ ଶ୍ରୀମତୀ ସୁପ୍ରିତା ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।