ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା

10


ଗଛ ପଡ଼ି ବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ ଭୁଶୁଡ଼ିଲା

ବେଲଗୁଣ୍ଠା, ୨୫/୦୯:-(ଶିବରାମ ଚୌଧୁରୀ )-ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କମିଥିଲେ ମଧ୍ୟ ବେଲଗୁଣ୍ଠା ବ୍ଲକ୍‌ରେ ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା ବଢ଼ିଛି। ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇ ରହିଥିବା ବେଳେ ରାସ୍ତାଘାଟ ଓ ଶିକ୍ଷାନୁଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ଉଚ୍ଚ ରହିଥିବାରୁ ଚାଷଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ। ବେଲଗୁଣ୍ଠା ସହରର ମାଆ ବ୍ରାହ୍ମଣଦେବୀ ମନ୍ଦିର ରାସ୍ତା ଉପରେ ଶୁକ୍ରବାର ସକାଳୁ ବନ୍ୟାଜଳ ପ୍ରବାହିତ ହୋଇଥିଲା। ମନ୍ଦିର ଭିତର ଓ ରୋଷେଇ ଘରେ ପ୍ରାୟ ୩ରୁ ୪ ଫୁଟ ପାଣି ପଶିଯିବାରୁ ରୋଷେଇ କରାଯାଇ ପାରିନଥିଲା। ଫଳରେ ମାଆଙ୍କ ଭୋଗ ମଧ୍ୟ ବନ୍ଦ ରହିଥିଲା। ବେଲଗୁଣ୍ଠାର ବିଭିନ୍ନ ଅଞ୍ଚଳର ବର୍ଷାଜଳ ଏହି ରାସ୍ତା ଦେଇ ମାଧବରୀଡ଼ା ଆନିକଟ ନିକଟରେ ନଦୀରେ ମିଶିଥାଏ। ଏଠାରେ ବଡ଼ନଦୀ, ବୋଡ଼ାନଦୀ ଓ ଲୋହରାଖଣ୍ଡି ନଦୀର ଜଳ ଏକତ୍ରିତ ହେଉଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଜମିର ପାଣି ନଦୀକୁ ଯିବା ପରିବର୍ତ୍ତେ ନଦୀଜଳ ଜମିକୁ ପଶୁଥିବା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଶୁକ୍ରବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ ସମୟରେ ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୩୦ ଫୁଟ ଲମ୍ବର ଇଟା ପାଚେରୀ ଭୁଶୁଡ଼ି ପଡ଼ିଛି। ପ୍ରାୟ ଦୁଇବର୍ଷ ତଳେ ୫-ଟି ଅନୁଦାନରେ ଏହି ପାଚେରୀ ତିଆରି ହୋଇଥିବା ଜଣା ପଡ଼ିଛି।
ବଙ୍କା ପଞ୍ଚାୟତର ବଙ୍କା–ସୁରମଣୀ ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଏଥିସହ ବିଦ୍ୟୁତ୍ ତାର ଛିଡ଼ିଯିବାରୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ବିଦ୍ୟୁତ୍ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହୋଇପାରିନଥିଲା। ଗୋବରା ଅଞ୍ଚଳର କାଳିଆମ୍ବା ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ନାଳ ଉଚ୍ଛୁଳି ଚାଷଜମିକୁ ପାଣି ପଶିଛି। ସରନାଳରେ ଜଳସ୍ତର ଅଧିକ ରହିଥିବାରୁ ଗୋବରା, ଡେଙ୍ଗାପଦର, ବରପଲ୍ଲୀ, ବିରିପୁର, ବେଣୀପଲ୍ଲୀ, ନେଟଙ୍ଗା, ଓରିଗଡ଼, କରାଗାଡ଼ିଆ, ବାଲିଭାଗ ଓ ଶ୍ରୀକରପୁର ଅଞ୍ଚଳର ଜଳ ସରନାଳ କେନାଲ ଦେଇ ବଡ଼ନଦୀକୁ ଯାଇପାରୁନାହିଁ। ଫଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ଅନ୍ୟପକ୍ଷରେ ପାଲକଷଣ୍ଢା, ଗାଙ୍ଗପୁର ଓ ପାଇଲିପଡ଼ା ଦେଇ ଯାଇଥିବା ଗୋଗେଇନାଳ ମଧ୍ୟ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନାଳ ଦେଇ ଚାଷଜମିର ପାଣି କେ.ନୂଆଗଡ଼ ନିକଟରେ ବଡ଼ନଦୀରେ ମିଶିଥାଏ। କିନ୍ତୁ ବଡ଼ନଦୀରେ ଜଳସ୍ତର ଅଧିକ ଥିବାରୁ ନଦୀଜଳ ଗୋଗେଇନାଳରେ ପଶୁଛି। ଫଳରେ ପାଇଲିପଡ଼ା, ବାରଟା, ଦହିମୁଣ୍ଡଳୀ ଓ କେ.ନୂଆଗଡ଼ ଅଞ୍ଚଳର ହଜାର ହଜାର ଏକର ଧାନଜମି ପାଣି ଘେରରେ ରହିଛି। ହଜାର ହଜାର ଚାଷ ଜମି ଜଳମଗ୍ନ ହୋଇ ସମୁଦ୍ରର ଭ୍ରମ ସୃଷ୍ଟି ହେଉଛି। ବର୍ତ୍ତମାନ ନଦୀର ଜଳସ୍ତର କମିବା ପରେ ହିଁ ଚାଷଜମିରୁ ପାଣି ନିଷ୍କାସନ ସମ୍ଭବ ହେବ। ଏଥିପାଇଁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିପାରେ ବୋଲି ଆକଳନ କରାଯାଉଛି। ଦୀର୍ଘ ସମୟ ଧରି ଧାନଗଛ ପାଣିରେ ବୁଡ଼ି ରହିଲେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଦୁଇରୁ ତିନି ଦିନ ମଧ୍ୟରେ ଜଳ ନିଷ୍କାସନ ନହେଲେ ଚାଷୀଙ୍କ ବର୍ଷକର ଭାତ ହାଣ୍ଡି ଦଇବ ଛଡ଼ାଇ ନେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.